ଏଣିକି ମାଗଣା ମିଳିବ ମହାପ୍ରସାଦ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏ ବାବଦରେ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହା କରାଯିବ ଓ ଏଥିପାଇଁ ସରକାରଙ୍କ ଉପରେ କୌଣସି ବୋଝ ପଡିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ପ୍ରତିଦିନ ଶ୍ରୀମନ୍ଦିର କୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ଆନୁମାନିକ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବଢ଼ାଇଛନ୍ତି । ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ଅପେକ୍ଷା କରି ରହିଥାନ୍ତି ମହାପ୍ରସାଦ ଟିକିଏ ପାଇବା ପାଇଁ । ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବେ । ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରୁଛୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
