Explore

Search
Close this search box.

Search

April 29, 2025 3:33 pm

ଜନମାନସରୁ ବିଲୁପ୍ତ ହେବାକୁ ବସିଛି ଦେବଗଡ଼ ଜିଲ୍ଲାର ପ୍ରାଚୀନ ଐତିହ କୈଳାଶ ରଙ୍ଗମହଲ ।

ଜନମାନସରୁ ବିଲୁପ୍ତ ହେବାକୁ ବସିଛି ଦେବଗଡ ଜିଲ୍ଲାର ସର୍ବ ପୁରାତନ ଐତିହ୍ୟ ସ୍ଥଳୀ କୈଳାସ ରଙ୍ଗ ମହଲ । ଏହାର ପୁନରୁଦ୍ଧାର ଦିଗରେ ସରକାରୀ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ରାଜକୀୟ କୀର୍ତ୍ତିରାଜିଟି ଭଗ୍ନସ୍ତୁପରେ ପରିଣତ ହୋଇଛି ।

ପୂର୍ବତନ ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ । ଦେବଗଡ଼ ସହର ଠାରୁ ସମ୍ବଲପୁର ଅଭିମୁଖେ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ କୈଳାସ ଗ୍ରାମ । ଏହି ଗ୍ରାମ ନିକଟରେ ସବୁଜ ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି କୈଳାସ ରଙ୍ଗ ମହଲ । ସମ୍ପୂର୍ଣ୍ଣ ରାଜକୀୟ କୀର୍ତ୍ତିରାଜିରେ ସୁଶୋଭିତ ଏହି ପ୍ରାଚୀନ ସୌଧ କୁ ୧୯୧୯ ମସିହାରେ ନିର୍ମାଣ କରାଇଥିଲେ ତତ୍କାଳୀନ ବାମଣ୍ଡା ରାଜା ଦିବ୍ୟଶଙ୍କର ଦେବ । ବ୍ୟସ୍ତବହୁଳ ରାଜ କାର୍ଯ୍ୟରୁ ମିଳୁଥିବା ବିରତି ସମୟରେ ନିଜର ଅବସର ବିନୋଦନ ପାଇଁ ଏହି ରଙ୍ଗ ମହଲ ନିର୍ମାଣ କରାଯାଇଥିଲା । ରଙ୍ଗ ମହଲର ଚତୁଃପାର୍ଶ୍ବକୁ ଘେରି ରହିଛି ସୁଉଚ୍ଚ ପର୍ବତ ମାଳା । ନିକଟରେ ରହିଛି ଏକ ସୁନ୍ଦର ପାହାଡି ଝରଣା, ପୁଷ୍ପ ଉଦ୍ୟାନ ଓ ପୁଷ୍କରିଣୀ । ଏକଦା ରାଜକୀୟ କୀର୍ତ୍ତିରାଜିରେ ଭରପୁର ଥିଲା ଏହି ରଙ୍ଗ ମହଲ । ଏହାର ମନୋରମ ଶୋଭା ଓ ପ୍ରାକୃତିକ ପରିବେଶ ଦେଖଣାହାରୀଙ୍କୁ ବିମୋହିତ କରୁଥିଲା ।
ମାତ୍ର ଦୀର୍ଘ ଦଶନ୍ଧି ହେଲା ଜନମାନସରୁ ବିଲୁପ୍ତ ହେବାକୁ ବସିଛି ପୂର୍ବତନ ବାମଣ୍ଡା ରାଜ୍ୟର ଏହି ସର୍ବପ୍ରାଚୀନ ଐତିହ୍ୟ ସ୍ଥଳୀ । ରାଜତନ୍ତ୍ରର ବିଲୋପ ପରେ ରଙ୍ଗ ମହଲଟି ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲା । ରାଜକୀୟ କୀର୍ତ୍ତିରାଜି ସବୁ ଭାଙ୍ଗିରୁଜି ଚୁରମାର ହୋଇଗଲାଣି । ପ୍ରାଚୀନ ସୌଧ ଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏବେ କେବଳ ଏହି ଐତିହ୍ୟ ସମ୍ପନ୍ନ ରାଜକୀୟ କୀର୍ତ୍ତିର ଭଗ୍ନାବଶେଷ ହିଁ ଏଠାରେ ପରିଲକ୍ଷିତ ହୋଇଛି । ତଥାପି ଏହି ପ୍ରାଚୀନ ରଙ୍ଗ ମହଲକୁ ଦେଖିବା ଏବଂ ଏହାର ପ୍ରାକୃତିକ ଓ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ପିକନିକ ପାର୍ଟି ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଛି।

ଏହି ରାଜକୀୟ କୀର୍ତ୍ତି ତଥା ରଙ୍ଗ ମହଲକୁ ରାଜ୍ୟ ସରକାର ଗତ ୨୦୦୪ ମସିହାରେ ରାଜ୍ୟର ଏକ ପ୍ରାଚୀନ ଐତିହ୍ୟ ସ୍ଥଳୀ ଭାବେ ପରିଗଣିତ କରି ଏହାକୁ ‘ଇକୋ ଟୁରିଜିମ’ ର ମାନ୍ୟତା ଦେଇଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ହେଲା, ଐତିହ୍ୟ ସ୍ଥଳୀର ପୁନରୁଦ୍ଧାର ନିମନ୍ତେ ସରକାର ଏ ଯାଏଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଫଳରେ ରାଜକୀୟ କୀର୍ତ୍ତିରାଜିରେ ନିର୍ମିତ ଏହି ପୁରାତନ ରଙ୍ଗ ମହଲ ଆଜି ନଷ୍ଟ ହୋଇ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ରାଚୀନ କୀର୍ତ୍ତିର ପୁନରୁଦ୍ଧାର କରାଯାଇ ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗ କରାଯିବାକୁ ବିଭିନ୍ନ ସଚେତନ ମହଲରେ ଦାବି ହେଉଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer