Explore

Search
Close this search box.

Search

May 31, 2025 6:45 pm

ଦେବଗଡ଼ ସଦର ମହକୁମା ନୂଆଁ ବାଲିରୋଇ ସ୍ଥିତ ଅନ୍ୱେଷା ହୋଷ୍ଟେଲରେ ଦେଖାଦେଇଛି ଜଳସଙ୍କଟ ।

ଦେବଗଡ଼ ସଦର ମହକୁମା ନୂଆଁ ବାଲିରୋଇ ସ୍ଥିତ ଅନ୍ୱେଷା ହୋଷ୍ଟେଲରେ ଦେଖାଦେଇଛି ଜଳସଙ୍କଟ । ଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ତିନିଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ । ନା ଏଥିପ୍ରତି ଦୃଷ୍ଟି ଅଛି ଶିକ୍ଷା ବିଭାଗର , ନା ଅଛି ସ୍ଥାନୀୟ ପ୍ରଶାସନର ।

ଦେବଗଡ଼ ସଦର ମହକୁମା ନୂଆଁ ବାଲିରୋଇ ଠାରେ ରହିଛି ଅନ୍ୱେଷା ହୋଷ୍ଟେଲ । ଏହି ହୋଷ୍ଟେଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ମୋଟ ୩୭୬ ଜଣ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ ୧୮୬ ଜଣ ବାଳକ ଥିବାବେଳେ , ୧୯୦ ଜଣ ବାଳିକା ଅଛନ୍ତି । ସରକାରଙ୍କ ଅନ୍ୱେଷା ଯୋଜନାରେ ବାଳକ ଓ ବାଳିକା ମାନଙ୍କ ପାଇଁ ପୃଥକ ପୃଥକ ଭାବେ ଦୁଇଟି ହୋଷ୍ଟେଲ ନିର୍ମାଣ ହୋଇଛି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା , ଏହି ଦୁଇଟି ହୋଷ୍ଟେଲରେ ବିଗତ କିଛିମାସ ହେଲା ଦେଖାଦେଇଛି ଉତ୍କଟ ଜଳସଙ୍କଟ । ହୋଷ୍ଟେଲରେ ଥିବା ଉଭୟ ବାଳକ ଓ ବାଳିକା ଅନ୍ତେବାସୀ ମାନେ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ସେମାନଙ୍କ ପାଇଁ ଆବଶ୍ୟକ ଜଳର ବ୍ୟବସ୍ଥା ନଥିବାରୁ ସ୍ନାନ ଓ ଶୌଚ ପାଇଁ ବାହାରକୁ ଯାଉଥିବା ଦେଖାଯାଇଛି । କିଛିମାସ ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ହୋଷ୍ଟେଲକୁ ନିୟମିତ ୪ ଗୋଟି ଟ୍ୟାଙ୍କର ରେ ଜଳ ଯୋଗାଇ ଦିଆଯାଉଥିଲା । ମାତ୍ର ଜଳଯୋଗାଣ ଦାଇତ୍ୱ ପିଏଚଡି  ନେବା ପରଠାରୁ ଦିନକୁ କେବଳ ଗୋଟିଏ ଘଣ୍ଟା ପାଇଁ ହୋଷ୍ଟେଲକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯାଉଛି । ଯାହାକି ଅନ୍ତେବାସୀଙ୍କ ଦୈନନ୍ଦିନ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ଫଳରେ ଅନ୍ତେବାସୀ ମାନେ ବାଧ୍ୟହୋଇ ବାହାରକୁ ଯାଉଛନ୍ତି । ଦୀର୍ଘ କିଛିମାସ ହେଲା ଏହି ସମସ୍ୟା ଦେଖାଦେଇଥିବା ବେଳେ , ଏହାର ନିରାକରଣ କରିବା ଦିଗରେ ଶିକ୍ଷାବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଏନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଅନ୍ୱେଷା ହୋସ୍ଟେଲ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଆବାସ ପ୍ରଦାନ କରି ଶିକ୍ଷାରେ ସହାୟତା କରିବା।  ମାତ୍ର ଏଠାରେ ତାହାର ଚରମ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ହୋଷ୍ଟେଲ ଅନ୍ତେବାସୀ ମାନେ ପ୍ରତିଦିନ ଜଳ ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ସମସ୍ୟାର ନିରାକରଣ ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଅବିଭାବକଙ୍କ ମହଲରେ ଦାବି ହେଉଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer