ରିଆମାଳ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଶିକ୍ଷକ ବଦଳି କୁ ବିରୋଧ ତଥା ଜିଲ୍ଲାପାଳଙ୍କ ଦ୍ୱାରା ବଦଳି ଆଦେଶ ରଦ୍ଦ ହୋଇଥିବା ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଦ୍ୱାରା ତିନିଦିନ ହେଲା ରିଆମାଳ ବ୍ଲକ ଅନ୍ତର୍ଗତ ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡିଛି ତାଲା । ଫଳରେ ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ଏହାର ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା ଅନୁଯାୟୀ , ରିଆମାଳ ବ୍ଲକ ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୬୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେଠାରେ ୪ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ନିଯୁକ୍ତି ପାଇଥିଲେ । ମାତ୍ର ଗତ ୨୭/୬/୨୦୨୪ ଦିନ ରିଆମାଳ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଏହି ବିଦ୍ୟାଳୟରେ ଅବସ୍ଥାପିତ ଥିବା ସହକାରୀ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କୁ ମାଝୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ବଦଳି କରିଥିଲେ । କେବଳ ଏତିକି ନୁହଁ , ଚଳିତ ବର୍ଷ ୨୦୨୪ ଜୁନ/ଜୁଲାଇ ମାସରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ଏହି ବ୍ଲକର ମୋଟ ୬୩ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ମନଇଚ୍ଛା ଡେପୁଟେସନ ଆଳରେ ଅନ୍ୟ ବିଦ୍ୟାଳୟକୁ ବଦଳି କରିଥିଲେ । ଏହି ବେଆଇନ ବଦଳି ସମ୍ପର୍କରେ ବିଭିନ୍ନ ମହଲରୁ ଦେବଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ବଦଳି ଆଦେଶକୁ କିଛିଦିନ ପୂର୍ବରୁ ରଦ୍ଦ କରିଦେଇଛନ୍ତି । ବଦଳି ଆଦେଶ ରଦ୍ଦ ହେବାପରେ କିଛି ଶିକ୍ଷକ ନିଜନିଜ ପୂର୍ବ ସ୍ଥାନରେ ଜଏନ କରିଛନ୍ତି । ମାତ୍ର ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବଦଳି ହୋଇଥିବା ସହକାରୀ ଶିକ୍ଷକ ବିଜୟ କୁମାର ପ୍ରଧାନ ତାଙ୍କ ପୂର୍ବ ସ୍ଥାନକୁ ଫେରିନଥିବାରୁ ତାଙ୍କୁ ତୁରନ୍ତ ଧରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଫେରାଇ ଅଣାଯିବା ଦାବିରେ ଗ୍ରାମବାସୀ ତଥା ଗ୍ରାମ ଶିକ୍ଷା କମିଟି ପକ୍ଷରୁ ଗତ ୨ ତାରିଖ ଠାରୁ ଏହି ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି । ସେପଟେ ଆଜକୁ ତିନିଦିନ ହେଲା ଏହି ବିଦ୍ୟାଳୟ ରେ ତାଲା ପଡିଥିଲେହେଁ , ଏହି ସମସ୍ୟାର ସମାଧାନ ଦିଗରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଯେଉଁ ଶିକ୍ଷା ଅଧିକାରୀ ସମସ୍ତ ସରକାରୀ ନୀତିନିୟମକୁ ଉଲଙ୍ଘନ କରି ନିଜଇଚ୍ଛାରେ ଦୁଇମାସରେ ୬୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡେପୁଟେସନ ଆଳରେ ଅନ୍ୟତ୍ର ବଦଳି କରିପାରିଲେ , ପ୍ରଶାସନ ଦ୍ୱାରା ବଦଳି ଆଦେଶ ରଦ୍ଦ ହେବାପରେ ସେହି ଅଧିକାରୀ ବଦଳି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଜନିଜ ପୂର୍ବ ସ୍ଥାନକୁ କିପରି ଫେରାଇ ଆଣିପାରୁ ନାହାନ୍ତି ? ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି ।
ଏ ଦିଗରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
