Explore

Search
Close this search box.

Search

April 29, 2025 7:11 pm

ଦେବଗଡ : ଶୁଖିଲା ପଡ଼ିଛି ଗୋହିରା ଜଳଭଣ୍ଡାର , ଚିନ୍ତାରେ ଚାଷୀକୁଳ ।

ଶୁଖିଲା ପଡ଼ିଛି ଦେବଗଡ଼ ଜିଲ୍ଲାରେ ଥିବା ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ତୀର୍ଣ୍ଣ ଜଳଭଣ୍ଡାର । ନଭେମ୍ବର ମାସରେ ମଧ୍ୟ ଜଳଭଣ୍ଡାର ରେ ଜଳ ପରିଲକ୍ଷିତ ହେଉନାହିଁ । ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ଉପରେ ନିର୍ଭରଶୀଳ ଚାଷୀକୁଳ ଏବେ ଚିନ୍ତାରେ ।
ଚଳିତ ବର୍ଷ ଜିଲ୍ଲାରେ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପରେ ଏଭଳି  ଜଟିଳ ପରିସ୍ଥିତ ଦେଖା ଦେଇଛି। ସୂଚନାଯୋଗ୍ୟ ଯେ , ଗତ ଅକ୍ଟୋବର ମାସରେ ଜିଲ୍ଲାରେ ୬୮.୩ ମିମି ବର୍ଷା ବଦଳରେ ମାତ୍ର ୩୩.୭୩ ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ଚଳିତ ମାସରେ ୧୭.୧ ମିମି ବର୍ଷା ବଦଳରେ ବର୍ତ୍ତମାନ ମୁଦ୍ଧା ୨.୬୭ ମିମି ବର୍ଷା ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଯାହାକି ଜିଲ୍ଲାରେ ଆବଶ୍ୟକତାଠାରୁ ଯଥେଷ୍ଟ କମ ବର୍ଷା ହୋଇଛି । ଆବଶ୍ୟକତା ଠାରୁ କମ୍ ବର୍ଷା ହୋଇଥିବା ଯୋଗୁଁ  ଗୋହିରା ଜଳସେଚନ ପ୍ରକଳ୍ପ ଶୁଖିଲା ପଡ଼ିଥିବା ବେଳେ ମାଟି ଫାଟି ଆଁ କଲାଣି ।
ସୂଚନା ଅନୁଯାୟୀ, ୧୯୭୭ ମସିହାରେ ତିଲେଇବଣି ବ୍ଲକ୍‌ର ଆମ୍ବଘାଟ ଠାରେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ ହୋଇଥିଲା । ଉକ୍ତ ମଧ୍ୟମ ଜଳସେଚନ ପ୍ରକଳ୍ପର ପାଣି କେନାଲ ଯୋଗେ ନିଜ ଜମିରେ ମଡ଼ାଇ ରିଆମାଳ ଓ ତିଳେଇବଣି ବ୍ଲକ୍‌ର ଅଧିକଂଶ ଗ୍ରାମର ଲୋକମାନେ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରି ବେଶ ଲାଭବାନ ହେଉଥିଲେ। ଉକ୍ତ ପ୍ରକଳ୍ପ ଦ୍ବାରା ରବିଚାଷ ପାଇଁ ୫୭୦୦ ହେକ୍ଟର ଓ ଖରିଫ ଚାଷ ପାଇଁ ୮୧୨୦ ହେକ୍ଟର ଜମି ଜଳସେଚିତ କରାଯିବାର କ୍ଷମତା ରହିଛି । ଏହି ପ୍ରକଳ୍ପର ଜଳଧାରଣା କ୍ଷମତା ୨୩୫.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ସମ୍ପୂର୍ଣ ଭାବେ କମିଯାଇଛି। ଏପରିକି ଏହି ପ୍ରକଳ୍ପରେ ଥିବା ପାଞ୍ଚୋଟି ମୁଖ୍ୟ ଗେଟ୍ ବର୍ତ୍ତମାନ ଶୁଖିଲା ଭୂଇଁରେ ରହିଛି ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଜେନାଲ ମାଧ୍ୟମରେ ୮୮ଟି ଗ୍ରାମରେ ଖରିଫ ଋତୁରେ ଶତ ପ୍ରତିଶତ ଓ ରବି ଋତୁରେ ୪୨ ପ୍ରତିଶତ ଚାଷ କାର୍ଯ୍ୟରେ ଜଳସେଚନ କରା ଯାଉଥିଲା । ଏଥିସହିତ ଏହି ମଧ୍ୟମ ଜଳସେଚନ ପ୍ରକଳ୍ପ ଅଧୀନରେ ୧୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଥିବାବେଳେ ରକ୍ଷଣାବେକ୍ଷଣ ନିମନ୍ତେ ସରକାରୀ ରାଜକୋଷରୁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ତଥା ଜଳ ପରିଚାଳନା ଗତ ତୃଟି ଯୋଗୁଁ ଏହି ପ୍ରକଳ୍ପ ଜଳଭଣ୍ଡାର ର ଜଳଧାରଣ କ୍ଷମତା ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ଫଳରେ ଉପର ମୁଣ୍ଡରେ ବର୍ଷା ହେଲେ ମଧ୍ୟ ଏହି ଜଳଭଣ୍ଡାରରେ ନିର୍ଦ୍ଧାରିତ ପରିମାଣ ଜଳ ଗଚ୍ଛିତ ରହୁନଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି । ଚଳିତ ନଭେମ୍ବର ମାସରେ ଗୋହିରା ଜଳଭଣ୍ଡାର ଟି ସମ୍ପୂର୍ଣ ଭାବେ ଶୁଷ୍କ ହୋଇ ପଡିଥିବା ବେଳେ ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ ପଡିଥିବା ଦେଖାଯାଇଛି ।
ଏସଂପର୍କରେ ଆମେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ହୃଷୀକେଶ ଭୋଇଙ୍କୁ ଯୋଗାଯୋଗ କରିବାରୁ ପ୍ରତିବର୍ଷ ଜିଲ୍ଲାରେ ୬୦୦ ମିମି ବର୍ଷା ହେଉଥିବାବେଳେ ଚଳିତ ବର୍ଷ ମାତ୍ର ୩୩୮ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହ ଜଳସେଚନ ପ୍ରକଳ୍ପର ଉପର ମୁଣ୍ଡ ତଥା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆବଶ୍ୟକତା ଠାରୁ କମ୍ ବର୍ଷା ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି  ହୋଇଥବା ସେ ପ୍ରକାଶ କରିଛନ୍ତି।
ତେବେ ସେ ଯାହା ହେଉନା କାହିଁକି , ପ୍ରତିବର୍ଷ ପୋତି ହୋଇଯାଉଥିବା ଗୋହିରା ଜଳଭଣ୍ଡାର ର ପୁନରୁଦ୍ଧାର , କେନାଲ ଗୁଡ଼ିକର ଉପଯୁକ୍ତ ରକ୍ଷଣବେକ୍ଷଣ ଓ ଜଳ ପରିଚାଳନା ନୀତିର ସୁଧାର କରାନଗଲେ ଆଗାମୀ ଦିନରେ ଏହି ପ୍ରକଳ୍ପ ଏକ ଶୁଷ୍କ ମରୁଭୂମିରେ ପରିଣତ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer