ନିଯୁକ୍ତି ପରୀକ୍ଷାରେ ଜାଲିଆତି କଲେ ମିଳିବ ୫ ବର୍ଷ ଜେଲ୍ ଦଣ୍ଡ । ରାଜ୍ୟରେ ମୋହନ ମାଝୀ ସରକାର ଆଣିବେ ନୂଆ ଆଇନ ।
ରାଜ୍ୟ ସରକାରଙ୍କ ବିଭିନ୍ନ ପରିଚାଳନା ସଂସ୍ଥା ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳୁଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଉଛି । ରାଜରାସ୍ତାକୁ ଓହ୍ଲାଉଛନ୍ତି ଆଶାୟୀ । ଆନ୍ଦୋଳନ ଓ ବିକ୍ଷୋଭ କରୁଛନ୍ତି ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ପରିବାର ବର୍ଗ । ସେପଟେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ନେଇ ଗଭୀର ଉଦବେଗେ ପ୍ରକାଶ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝି । ବାରମ୍ବାର ଏଭଳି ସ୍ଥିତି ଉପୁଜିବା ପରେ କଠୋର ଆଭିମୁଖ୍ୟ ଆପଣାଇଛନ୍ତି ମୋହନ ସରକାର । ସରକାରୀ ଚାକିରି ଚୟନ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନୂଆ ଆଇନ ଆଣିଛନ୍ତି ମୋହନ ସରକାର । ଜାଲିଆତିରେ ସମ୍ପୃକ୍ତ ଅପରାଧୀଙ୍କୁ ୩ ରୁ ୫ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ଏଥିପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-୨୦୨୪’ କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି ।
