ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ସମୀର ଦେ । କିଛିବର୍ଷ ପୂର୍ବରୁ ତାଙ୍କର କିଡ଼ିନି ପ୍ରତ୍ୟାରୋପଣ କରାଯାଇଥିଲା । ଆଜି କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଦେହାନ୍ତ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଗତ କିଛିଦିନ ପୂର୍ବରୁ ଚିକିତ୍ସାଧୀନ ଥିବାବେଳେ ମେଡ଼ିକାଲରେ ସମିରଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମୀର ଦେ ଥିଲେ ଜଣେ ଲୋକ ପ୍ରିୟ ଜନନେତା ଓ ଦୃଢ଼ ସଂଗଠକ । ସେ କଟକ ବିଧାନସଭା ଆସନରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୫ , ୨୦୦୦ ଓ ୨୦୦୪ ରେ ବିଜେପି ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଭାବେ ଦାୟୀତ୍ବ ତୁଲାଇ ଆସିଛନ୍ତି । ଉଚ୍ଚଶିକ୍ଷା ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ୨୦୦୪ ଠାରୁ ୨୦୦୯ ପର୍ଯ୍ୟନ୍ତ ଦାୟୀତ୍ବ ତୁଲାଇ ଆସିଛନ୍ତି ସମୀର ଦେ । ଉଚ୍ଚଶିକ୍ଷା ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ସମୀରଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମୀରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
