ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟୀର ବୈଠକ ଅନୁଷ୍ଠିତ ।ଡିସେମ୍ବର ୧୩ ରୁ ଦେବଗଡ ଜିଲ୍ଲାରେ ଧାନ କିଣା ଆରମ୍ଭ ।
ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟୀର ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୦୨୪-୨୫ ଖରିଫ ବିପଣନ ଋତୁ ନିମନ୍ତେ ଜିଲ୍ଲାରେ ଧାନକ୍ରୟ ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତି ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଠାରୁ ଜିଲ୍ଲାରେ ଧାନକ୍ରୟ ନିମନ୍ତେ ମଣ୍ଡି ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ,ଜ଼ିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା,ଉପ ଜ଼ିଲ୍ଲାପାଳ ପରୀକ୍ଷିତ ସାହୁ,ସାଂସଦଙ୍କ ପ୍ରତିନିଧି ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ବିଶ୍ବାଳ ମଣ୍ଡିମାନଙ୍କରେ ଚାଷୀମାନେ କିପରି ସୁବିଧାରେ ତାଙ୍କର ଧାନ ବିକ୍ରୟ କରିପାରିବେ ସେ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ।୨୦୨୪-୨୫ ଖରିଫ ବର୍ଷ ଧାନ ବିକ୍ରୟ ନିମନ୍ତେ ଜିଲ୍ଲାରେ ୧୯ ହଜାର ୬୩୩ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି।ଗତବର୍ଷ ୧୯ ହଜାର ୦୭୭ ଜଣ ଚାଷୀ ଖରିଫ ବର୍ଷ ଧାନ ବିକ୍ରୟ ନିମନ୍ତେ ପଞ୍ଜିକୃତ କରିଥିଲେ।କିନ୍ତୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୩ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଂଞ୍ଜିକୃତ କରିଛନ୍ତି। ସେହିପରି ୪ଟି ଏସଏଚଜି ଗ୍ରୁପକୁ ଧାନ କିଣାରେ ଚଳିତ ବର୍ଷ ସାମିଲ କରାଯାଇଛି।ତେବେ ପଞ୍ଜିକୃତ ଚାଷୀମାନଙ୍କଠାରୁ ୫ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି।ଏହି ଧାନ ସଂଗ୍ରହ ଲାଗି ୫୨ ଟି ମଣ୍ଡି ଖୋଲିବାକୁ ସ୍ଥିର କରାଯାଇଛି।ଜ଼ିଲ୍ଲାରେ ତିନି ବ୍ଲକରେ ମଡେଲ ମଣ୍ଡି ଖୋଲାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।ଜିଲ୍ଲାର ସମସ୍ତ ଧାନ କ୍ରୟ କେନ୍ଦ୍ରରେ ସିସି ଟିଭି,ଚାଷୀମାନଙ୍କ ପାଇଁ ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା,ଧାନର ମାନ ନିରୂପଣ ପାଇଁ ଯନ୍ତ୍ର ପାତି,ଧାନ ଓଜନ ଯନ୍ତ୍ର ଉପରେ ସଠିକ ଭାବେ ନିରୀକ୍ଷଣ କରିବାକୁ ଜ଼ିଲ୍ଲାପାଳ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ଚଳିତ ବର୍ଷ ଖରିଫ୍ ଋତୁରେ ସଫଳ ଭାବରେ ଚାଷୀମାନଙ୍କଠାରୁ ଧାନସଂଗ୍ରହ କରାଯିବା ନିମନ୍ତେ ସୂଚନା ପ୍ରଦାନ କରିଥିଲେ।
