ପ୍ରସ୍ତାବିତ ବଲାଣି ଟୋଲ୍ ପ୍ଲାଜାକୁ ବିରୋଧ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।
ବାରକୋଟ ବ୍ଳକ୍ ବିଦେଇବଡ଼କୁଦର ଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗତ ୪ବର୍ଷ ପୂର୍ବରୁ ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ଏକ ଟୋଲ୍ ପ୍ଲାଜା ସ୍ଥାପନ କରାଯାଇ ଯାନବାହାନ ଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି। ସେହିପରି ଭାବେ ଏହି ଟୋଲ୍ ପ୍ଲାଜାରୁ ମାତ୍ର ୧୩ କିମି ବ୍ୟବଧାନରେ ବଲାଣି ଗ୍ରାମ ନିକଟରେ ବାରକୋଟ ଠାରୁ ରାଉରକେଲା ରାସ୍ତାର ୧୪୩ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଟୋଲ୍ ପ୍ଲାଜା ନିର୍ମାଣ ପାଇଁ ଏନ୍ ଏଚ୍ଆଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଟୋଲ ପ୍ଲାଜା କାର୍ଯ୍ୟ ପ୍ରାୟତଃ ସମାପ୍ତ ହେବାକୁ ବସିଛି । ଆଉ କିଛିଦିନ ମଧ୍ୟରେ ଏହି ଟୋଲ ପ୍ଲାଜାଟି କାର୍ଯ୍ୟକ୍ଷମ ହେବା ନେଇ ଜଣାଯାଇଛି । ତେବେ ଏନେଇ ସ୍ଥାନୀୟ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଉଛି । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମଧ୍ୟ ଏହାକୁ ବେଆଇନ ଦର୍ଶାଇ ବିରୋଧ କରିବା ସହ ପ୍ରସ୍ତାବିତ ବଲାଣି ଟୋଲ୍ ପ୍ଲାଜା ନିର୍ମାଣ ପ୍ରସ୍ତାବର ପୁନଃ ବିଚାର ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି। ସେହିପରି ଏହି ପତ୍ରର ଏକକିତା ନକଲ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦେବଗଡ଼ ଜିଲ୍ଲାପାଳଙ୍କୁ ପଠାଇଛନ୍ତି ।
ସୂଚନାନୁଯାୟୀ ଦେବଗଡ଼ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଜାତୀୟ ରାଜପଥ ଶୁଳ୍କ ଅସୁଲି ନିୟମ ଅନୁଯାୟୀ ୬୦ କିମି ଦୂରତା ମଧ୍ୟରେ ଟୋଲ୍ ପ୍ଲାଜା ନିର୍ମାଣ ପାଇଁ ନିୟମ ରହିଥିବାବେଳେ ପ୍ରସ୍ତାବିତ ବଲାଣି ଟୋଲ୍ ପ୍ଲାଜା ଠାରୁ ୪୯ନଂ ଜାତୀୟ ରାଜପଥରେ ଥିବା ବିଦେଇବଡ଼କୁଦର ଟୋଲ୍ ପ୍ଲାଜାର ଦୂରତା ମାତ୍ର ୧୩ କିମି ରହିଛି । ଏହା ନିୟମ ବିରୋଧ ବୋଲି ବିଧାୟକ ଶ୍ରୀ ବିଶ୍ଵାଳ ଅଭିଯୋଗ କରିଛନ୍ତି। ସେହିପରି ପ୍ରସ୍ତାବିତ ବଲାଣି ଟୋଲ ପ୍ଲାଜା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳବାସୀ ଓ ଚାଷୀଙ୍କୁ ଆର୍ଥିକ ବୋଝ ପଡିବା ସହ ଜନ ଆନ୍ଦୋଳନ ଦେଖାଦେବାର ସମ୍ଭାବନା ଥିବାରୁ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ବଲାଣି ଟୋଲ ପ୍ଲାଜା ନିର୍ମାଣର ପୁନଃ ବିଚାର ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ବିଧାୟକ ଶ୍ରୀ ବିଶ୍ବାଳ ଉଲ୍ଲେଖ କରିଛନ୍ତି ।
ଆହୁରି ମଧ୍ୟ ଏଠାରେ ସୂଚନାଯୋଗ୍ୟ ଯେ , ଦେବଗଡ ଜିଲ୍ଲାବାସୀ ବିଭିନ୍ନ କାର୍ଯ୍ୟପାଇଁ ଜିଲ୍ଲାର ନିକଟତମ ପଡୋଡ଼ି ଅଞ୍ଚଳ ତଥା ପାଲଲହଡା, କୁଚିଣ୍ଡା, ସମ୍ବଲପୁର ଓ ବଣେଇ କୁ ଅଧିକ ଯାତାୟତ କରିଥାନ୍ତି । ମାତ୍ର ଉପରୋକ୍ତ ଚାରୋଟି ସ୍ଥାନ ମଧ୍ୟରୁ ପାଲଲହଡା ଓ ସମ୍ବଲପୁର ରାସ୍ତାରେ ଦୁଇଗୋଟି ଟୋଲପ୍ଲାଜା କାର୍ଯ୍ୟକାରୀ ହୋଇଥିବା ବେଳେ ବଣେଇ ଓ କୁଚିଣ୍ଡା ରାସ୍ତାରେ ଦୁଇଗୋଟି ଟୋଲ ପ୍ଲାଜା ବର୍ତ୍ତମାନ ନିର୍ମାଣଧିନ ଅବସ୍ଥାରେ ରହିଛି । ଫଳରେ ଆଗାମୀ ଦିନରେ ଉପରୋକ୍ତ ଚାରିଗୋଟି ସ୍ଥାନକୁ ଯାତାୟତ ବେଳେ ଚାରିଗୋଟି ସ୍ଥାନରେ ଟୋଲଟ୍ୟାକ୍ସ ଦେବାକୁ ପଡ଼ିବ । ଯାହାକି ଟୋଲଟ୍ୟାକ୍ସ ଜିଲ୍ଲାବାସୀଙ୍କ ପାଇଁ ଏକ ଆର୍ଥିକ ବୋଝ ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି ।
ତେଣୁ ଶିଳ୍ପବିହିନ ଏହି ଜିଲ୍ଲାର ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଏହାର ପୁନଃବିଚାର କରିବା ପାଇଁ ସଚେତନ ମହଲରେ ଦାବି ହେଉଛି ।
