ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା । ଲକ୍ଷାଧିକ ଜମାଟଙ୍କା ଧରି ରାତାରାତି ଛୁ ମାରିଲେ ସେକ୍ରେଟାରୀ । ନିଜ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିବା ଗରିବ ଜମାକାରୀ ବ୍ୟାଙ୍କରୁ ନିଜନିଜ ଜମା ଟଙ୍କା ଫେରସ୍ତ ନପାଇ ଆଜକୁ ଦୀର୍ଘ ୧୬ ବର୍ଷ ହେଲା ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ଦିଗରେ ବ୍ୟାଙ୍କ କତ୍ତୃପକ୍ଷ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବା ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକଝରାଗୋଗୁଆ ସ୍ଥିତ ଏସଡିସିସି (SDCC) ମିନି ବ୍ୟାଙ୍କରେ।
ଝରାଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏସଡିସିସି (ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ) ରେ ଏହି ଅଞ୍ଚଳର ଶହଶହ ଗରିବ ଚାଷୀ ମୂଲିଆ ଓ ଖଟିଖିଆ ଲୋକେ ଖାତା ଖୋଲି ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରି ଆସୁଥିଲେ । ମାତ୍ର ଏହି ବ୍ୟାଙ୍କଟି ଆଜକୁ ଦୀର୍ଘ ୧୬ ବର୍ଷ ହେଲା ବନ୍ଦ ହୋଇପଡ଼ିଛି । ଫଳରେ ଏଥିରେ ଅର୍ଥଜମା ରଖିଥିବା ଝରାଗୋଗୁଆ, ପାରପୋଷି , ଗଣ୍ଡମ ଆଦି ପଞ୍ଚାୟତର ଝରାଗୋଗୁଆ, ରାଇତାଳ, ଫୁଲପଥରଖୋଲ, ତିଳେଇମାଲ, ଗଇଲୋ, ଡୁରିଜଙ୍ଗଲ, ହରିଡ଼ାବାହଲ ଆଦି ୧୨ ଖଣ୍ଡ ଗ୍ରାମର ଆଦିବାସୀ ଶ୍ରେଣୀର ଶହଶହ ଗରିବ ଚାଷୀ, ଖଟିଖିଆ ଓ ମଜୁରିଆ ଶ୍ରେଣୀର ଲୋକେ ସେମାନଙ୍କ ସଞ୍ଚୟ ଅର୍ଥ ଆଉ ଫେରସ୍ତ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନା ଅନୁଯାୟୀ , ଗତ ୨୦୦୮ ମସିହାରେ ଏହି ବ୍ୟାଙ୍କରେ ଅବସ୍ଥାପିତ ଥିବା ତତ୍କାଳୀନ ସେକ୍ରେଟାରୀ ପୂର୍ଣ୍ଣଚନ୍ଦ୍ର ମାଝୀ ବ୍ୟାଙ୍କରୁ ଜମାକାରୀଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି କୁଆଡେ ଫେରାର ହୋଇଗଲେ । ଏହି ଅର୍ଥ ଆତ୍ମସାତ ଘଟଣା ଜଣାପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବ୍ୟାଙ୍କରେ ତାଲା ପକାଇଥିଲେ । ସମ୍ପୃକ୍ତ ସେକ୍ରେଟାରୀଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ କେବଳ ନିଲମ୍ବିତ କରି ଦେଇଥଇଲe ସାତ , ହେଲେ ଘତଣାର ତଦନ୍ତ କରି ଜନାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ଫେରସ୍ତ କରିବା ଦିଗରେ ଆଉ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହେଉଛି । ଏହି ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କଣ ହେଲା ଓ ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା କେବେ ଫେରସ୍ତ ମିଳିବ ? ତାହା ଆଜି ମଧ୍ୟ ନିଶ୍ଚିତ ହୋଇ ପାରିନାହିଁ ।
ସେହିଦିନ ଠାରୁ ଏପର୍ଯ୍ୟନ୍ତ ୧୬ ବର୍ଷ ହେଲା ତଦନ୍ତ ଆଳରେ ବ୍ୟାଙ୍କଟି ବନ୍ଦ କରିଦିଆଯାଇଛି । ଫଳରେ ଏହି ଉପାନ୍ତ ଅଞ୍ଚଳର ଶହଶହ ସଂଖ୍ୟାରେ ଗରିବ ଚାଷୀ ଓ ଖଟିଖିଆ ଲୋକେ ନିଜ କଷ୍ଟ ଉପାର୍ଜିତ ଜମାଟଙ୍କା ଫେରସ୍ତ ପାଇନାହିଁନ୍ତି । ଜମାକାରୀମାନେ ଆଜକୁ ଦୀର୍ଘ ୧୬ ବର୍ଷହେଲା ଏହି ବ୍ୟାଙ୍କକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲେଣି । ଜମାକାରୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଦେବଗଡ଼ ଜିଲ୍ଲାପାଳଙ୍କୁ ଏସଂପର୍କରେ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । କେବଳ ତଦନ୍ତ ଚାଲିଛି କହି ବ୍ୟାଙ୍କ କର୍ତ୍ତୃପକ୍ଷ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି ।
ଏସଂପର୍କରେ ଆମେ ଦେବଗଡ କୋପୋରେଟିଭ ସୋସାଇଟି ସହକାରୀ ନିବନ୍ଧକ ଭବାନୀ ଶଙ୍କର ନାୟକଙ୍କୁ ପାଚାରିଥିଲୁ । ସେ କିଛିମାସ ପୂର୍ବରୁ ଏଠାରେ ଦାୟୀତ୍ବ ନେଇଥିବାରୁ ଏସଂକ୍ରାନ୍ତରେ ସେ ଅବଗତ ନଥିବା ପ୍ରକାଶ କରିବା ସହିତ ସେ ନିଶ୍ଚିତ ଏହି ଘଟଣାର ତଦନ୍ତ କରିବେ ଓ ଜମାକାରୀ ଯେପରି ସେମାନଙ୍କ ସଞ୍ଚୟ ଟଙ୍କା ଫେରସ୍ତ ପାଇବେ ସେଡିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଦୀର୍ଘବର୍ଷ ଧରି ଜମାତଙ୍କା ଫେରସ୍ତ ପାଇବାକୁ ଆଶାବାନ୍ଧୀ ବସିଥିବା ଜମାକାରୀ କେବେ ସେମାନଙ୍କ ଅର୍ଥ ଫେରିପାଇବେ ତାହା ଦେଖିବାକୁ ବାକିରହିଲା ।
