କର୍ପୂର ଉଡିଯାଇଛି , କନା ଅବସ୍ଥା ବି ଭଲନାହିଁ । ପ୍ରଶାସନିକ ଅବହେଳା କାରଣରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ଦେବଗଡ଼ ସଦର ମହକୁମା ସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (RCMS ) । ଏହାର ପୁନରୁଦ୍ଧାର ଦିଗରେ ନା ଦୃଷ୍ଟି ଅଛି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଙ୍କର , ନା ଅଛି ସ୍ଥାନୀୟ ପ୍ରଶାସନର ।
ସରକାରୀ ଉଦାସୀନତା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଭୂତକୋଠି ପରିଣତ ହୋଇଛି ଦେବଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିମିଟେଡ ( RCMS Ltd. ) । ଏହି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କାର୍ଯ୍ୟାଳୟ ସମେତ ବିଭିନ୍ନ ଗୋଦାମ ଗୃହ ଗୁଡ଼ିକର ଅବସ୍ଥା ଅତି ଦୟନୀୟ ହୋଇ ପଡିଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି କୋଟିକୋଟି ଟଙ୍କାର ସରକାରୀ ସମ୍ପତ୍ତି । ଏହାକୁ ପୁନରୁଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ବ୍ୟବହାରରେ ନଆସି ମାଟିରେ ମିଶିଯିବାକୁ ବସିଛି ।
ସୂଚନା ଅନୁଯାୟୀ , 1962 ମସିହାରେ ଦେବଗଡ଼ ପୌରାଞ୍ଚଳର ଆରସିଏମ୍ଏସ୍ ସାହିରେ 7 ଏକର 68 ଡିସିମିଲ ପରିମିତ ଜାଗାରେ ଦେବଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିମିଟେଡ କାର୍ଯ୍ୟାଳୟ ଆରମ୍ଭ କରାଯାଇଥିଲା। ଏହି ସଂସ୍ଥା ଟି ଆରମ୍ଭ ହେବାପରେ ଜନସାଧାରଣଙ୍କୁ ସରକାରୀ ମୁଲଭ ଦରରେ ବିହନ , ସାର, କୀଟନାଶକ ଠାରୁ ଆରମ୍ଭ କରି ଛଡ, ସିମେଣ୍ଟ, ଆଜବେଷ୍ଟର୍ସ ଆଦି ଗୃହନିର୍ମାଣ ଉପକରଣ ଆଦି ବିକ୍ରୟ କରାଯାଉଥିଲା । ମାତ୍ର ଏହି ସଂସ୍ଥା ଟି ବେସ କିଛିବର୍ଷ ଲାଭରେ ଚାଲିବା ପରେ ପରବର୍ତ୍ତୀ ସମୟରେ ସରକାର ଏହାର ଆଉ କୌଣସି ତତ୍ତ୍ଵାବଧାନ ନେଲେନାହିଁ । ସରକାରୀ ଅବହେଳା କାରଣରୁ ଏହା ବହୁ
ବର୍ଷ ହେଲା ଅଚଳ ହୋଇପଡ଼ିଛି। ଏଠାରୁ ଲୋକେ ଆଉ କୌଣସି ଉପକରଣ ସୁଲ୍ଲଭ ମୂଲ୍ୟରେ ପାଇପାରୁନାହାନ୍ତି । ସରକାରୀ ଗୋଦାମ , କାର୍ଯ୍ୟାଳୟ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଲକ୍ଷାଧିକ ଟଙ୍କାର ଯାନବାହନ ଗୁଡିକ ପଡିରହି ଖତ ଖାଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ର ଏକ ନିଜସ୍ୱ ରାଇସ୍ ମିଲ ମଧ୍ୟ ରହିଛି । ତାହା କିଛି ବର୍ଷ ପୂର୍ବରୁ ଜଣେ ମିଲର୍ସ ଲିଜରେ ନେଇଥିଲେ। କିନ୍ତୁ ତାହା ବି କିଛି ବର୍ଷ ହେବ ଚାଲିବା ପରେ 2021 ମସିହାରୁ ବନ୍ଦ ହୋଇପଡିରହିଛି । ସମ୍ପୃକ୍ତ ମିଲର୍ସ ଲକ୍ଷାଧିକ ଟଙ୍କା ହେରଫେର କରି କୁଆଡେ ଚମ୍ପଟ ମାରିବାରୁ ରାଇସ ମିଲଟି ଏବେ ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏଠାରେ ଥିବାସ କୋଟିକୋଟି ଟଙ୍କାର ଯନ୍ତ୍ରାଂଶ ମାଟିରେ ମିସିଗଲାଣି । ବିଭିନ୍ନ ସମୟରେ ଏହି ମିଲର ଯନ୍ତ୍ରାଂଶ ଓ ମୂଲ୍ୟବାନ ସାମଗ୍ରୀଗୁଡ଼ିକ ଚୋରି ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ସଂସ୍ଥାର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିବା ବେଳେ, ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଠିକ ସମୟରେ ଦରମା ପାଉନାହାନ୍ତି।
ଦିନେ ଲୋକଙ୍କୁ ଉତ୍ତମ ମାନର ସେବା ଯୋଗାଇ ଲକ୍ଷ ଲକ୍ଷ ଟଙ୍କା ଲାଭରେ ଚାଲିଥିବା ଏହି ସରକାରୀ ସଂସ୍ଥାଟି ଆଜି ସରକାରଙ୍କ ଅବହେଳା କାରଣରୁ କୋମା ଅବସ୍ଥାରେ ପଡ଼ିରହିଛି ।
ଏହି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିମିଟେଡ କୁ ପୁନରୁଦ୍ଧାର କରି ପୁନ କାର୍ଯ୍ୟକ୍ଷମ କରାଗଲେ ଏଥିରେ ଜିଲ୍ଲାବାସୀ ଉପକୃତ ହେବା ସହ ସରକାରଙ୍କ ରାଜସ୍ୱ ବୃଦ୍ଧିରେ ଏହା ନିଷ୍ଟିତ ସହାୟକ ହୋଇପାରନ୍ତା ବୋଲି ବିଭିନ୍ନ ସଚେତନ ମହଲରେ ମତ ପ୍ରକାଶ ପାଇଛି ।
