ଚାଷୀଙ୍କୁ ହଇରାଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବୀମା କମ୍ପାନୀକୁ ରାଜସ୍ଵ ମନ୍ତ୍ରୀଙ୍କ କଡ଼ା ଚେତାବନୀ ।
ବନ୍ୟା ବାତ୍ୟା ଓ ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ବୀମା କମ୍ପାନୀକୁ ପରାମର୍ଶ ଦେଇଛନ୍ତି ରାଜସ୍ଵମନ୍ତ୍ରୀ ସୁରେସ ପୁଝାରୀ । ସେ କହିଛନ୍ତି ଯେ ଫାସଲ ଅମଳ ନଷ୍ଟ ସମୟ ବୀମା ଯୋଜନାର ଲାଭ ଉଠାଇବା ସମୟ ନୁହେଁ । ଯଦି କୌଣସି କମ୍ପାନୀ ସରକାରୀ ନିର୍ଦ୍ଦେଶାବଳୀ ବାହାରକୁ ଯାଇ ଚାଷୀଙ୍କ ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ସରକାର ମଧ୍ୟ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବେ ନାହିଁ । ବୀମା କମ୍ପାନୀଗୁଡିକୁ ଏପରି ଖୋଲା ଭାଷାରେ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଯାହାଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେବାକୁ ପଡୁଛି । ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ । ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି । କୃଷି ବିଭାଗ ସହ ଆଲୋଚନା ହୋଇଛି । ଏହି ପ୍ରକ୍ରିୟାରେ ସମବାୟ ବିଭାଗର ବି ଭୂମିକା ଅଛି । ଆସନ୍ତା ୨୮ ତାରିଖରେ ରାଜସ୍ୱ, କୃଷି ଓ ସମବାୟ ବିଭାଗ ସହ ଅନ୍ୟ ବିଭାଗ ବୈଠକ ରହିଛି । କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ଯଦି କି’ଏ ସର୍ଭେରୁ ବାଦ ପଡ଼ିଥିବେ, ତାହେଲେ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସର୍ବଦା ଅତି ସମ୍ବେଦନଶୀଳ ବୋଲି ରାଜସ୍ବମନ୍ତ୍ରୀ ପ୍ରକାଶ କରିଛନ୍ତି ।
