Explore

Search
Close this search box.

Search

April 28, 2025 11:39 am

୩୨ ବର୍ଷରେ ପଦାର୍ପଣ କଲା ଦେବଗଡ ଜିଲ୍ଲା , ତଥାପି ଛୁଇଁ ପାରିଲାନି ବିକାଶର ଆଲୁଅ ।

ଜାନୁଆରୀ ପହିଲା କୁ ୩୨ ବର୍ଷରେ ପଦାର୍ପଣ କରିଛି ଦେବଗଡ ଜିଲ୍ଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ୩୨ ତମ ପ୍ରତିଷ୍ଠା ଦିବସ ।  ତେବେ ଏହି ଦୀର୍ଘ ୩୨ ବର୍ଷରେ ଜିଲ୍ଲାର ବିକାଶ ପ୍ରକ୍ରିୟା ସନ୍ତୋଷଜନକ କି ? ଏହା ଏକ ଜଟିଳ ପ୍ରଶ୍ନ ହୋଇ ରହିଛି । ଏହି ପ୍ରଶ୍ନ ଏବେ ଆନ୍ଦୋଳିତ କରିଛି ଜିଲ୍ଲାବାସୀଙ୍କ ମନରେ ।

୧୯୯୪ ମସିହା ଜାନୁଆରୀ ପହିଲା ଦିନ ଅବିଭକ୍ତ ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଦେବଗଡ ଉପଖଣ୍ଡ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଦେବଗଡ ଉପଖଣ୍ଡ କୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେଇଥିଲେ । ତିନୋଟି ବ୍ଲକ ଓ ତିନୋଟି ତହସିଲ କୁ ନେଇ ଗଠିତ ହେଲା ଦେବଗଡ ଜିଲ୍ଲା । ଆଶାଥିଲା ଦୀର୍ଘ ଦଶନ୍ଧି ଧରି ବିକାଶ ଠାରୁ ବହୁ ପଛରେ ଥିବା ଦେବଗଡ ଉପଖଣ୍ଡ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏହାର ରୁପରେଖରେ ପରିବର୍ତ୍ତନ ହେବ । ଜିଲ୍ଲାବାସୀ ପ୍ରଶାସନକୁ ହାତପାହାନ୍ତାରେ ପାଇବେ । ଜିଲ୍ଲାବାସୀଙ୍କ ଅସମାହିତ ସମସ୍ୟା ଗୁଡ଼ିକ ସମାଧାନ ହେବ । ନବଗଠିତ ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଠାରୁ ଆରମ୍ଭ କରି ଗମନାଗମନ ,ପାନୀୟଜଳ ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ବିକାଶର ସୁଅ ଛୁଟିବ । ଏମିତି କେତେକଣ ଅସରନ୍ତି ସ୍ବପ୍ନ ଦେଖି ଚାଲିଥିଲେ ଜିଲ୍ଲାବାସୀ ।

ମାତ୍ର ଆଜି ଏହି ଜିଲ୍ଲା ୩୨ ବର୍ଷରେ ପଦାର୍ପଣ କରିଛି । ହେଲେ ରାଜ୍ୟର ଅନ୍ୟ ବିକଶିତ ଜିଲ୍ଲା ଗୁଡ଼ିକ ତୁଳନାରେ ଦେବଗଡ ଜିଲ୍ଲା ଏବେବି ବହୁ ପଛରେ ଥିବା ଦେଖାଯାଇଛି । କୃଷି ପ୍ରଧାନ ଦେବଗଡ ଜିଲ୍ଲାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇନାହିଁ । ବିଶେଷକରି ଏହି ଜିଲ୍ଲାରେ ଉଦ୍ୟାନ ଭିତ୍ତିକ କୃଷିର ବ୍ୟାପକ ଭିତ୍ତିଭୂମି ଥିବାସତ୍ତ୍ୱେ ଉଦ୍ଦ୍ୟାନକୃଷିର ଉନ୍ନତି ଦିଗରେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ । ଦେବଗଡ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଆମ୍ବ ଲିଚୁ କମଳା ଓ ତରଭୁଜ ପାଇଁ ବେସ୍ ଉପଯୋଗୀ ହୋଇଥିଲେ ସୁଦ୍ଧା ସରକାରୀ ପ୍ରୋତ୍ସାହନ  ଅଭାବରୁ ଚାଷୀକୁଳ ଏହି ଚାଷ ଉପରୁ ମୁହଁ ଲେଉଟାଇ ନେଉଥିବା ଦେଖାଯାଇଛି । ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ଏଠାରେ ଶୀତଳ ଭଣ୍ଡାର ଟିଏ ନାହିଁ କିମ୍ବା ବିକ୍ରୟ ନିମନ୍ତେ ଉତ୍କୃଷ୍ଟ ବଜାର ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ଉଦ୍ୟାନ ଚାଷୀ ବହୁମାତ୍ରାରେ କ୍ଷତି ସହୁଛନ୍ତି । ସେହିପରି ଖରିଫ ଚାଷ ପାଇଁ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ । ଯାହା ଅଛି ତାହା ଧର୍ମକୁ ଆଖିଠାର ସଦୃଶ । ଫଳରେ ପ୍ରତିବର୍ଷ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଜିଲ୍ଲାର ଚାଷୀକୁଳ ମରୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ନୈରାଶ୍ୟ ଜନକ ହୋଇଛି । ଅନ୍ୟକଥା ଦୂରେଥାଉ ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦୀର୍ଘ ସମୟ ହେଲା ବହୁ ସଂଖ୍ୟାରେ ଡାକ୍ତର ଓ ବିଶେଷଜ୍ଞ ପଦବୀ ଖୋଲା ପଡ଼ିଛି । ଫଳରେ ଜିଲ୍ଲାବାସୀ ସ୍ୱାସ୍ଥ୍ୟାସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଜିଲ୍ଲାବାସୀ ପଡୋଶୀ ଜିଲ୍ଲା ତଥା ବୁର୍ଲା , ସମ୍ବଲପୁର , କଟକ ଓ ଭୁବନେଶ୍ବର ମେଡିକାଲ ଯାଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କାର୍ଯ୍ୟକ୍ଷମ ହୋଇନପାରି ପରିତ୍ୟକ୍ତ ଭାବେ ପଡ଼ିରହିଛି । ଶିଳ୍ପ ବିହୀନ ଏହି ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଶିକ୍ଷିତ ବେକାର ସଂଖ୍ୟା ପ୍ରତିବର୍ଷ ଆଶାତୀତ ଭାବେ ବୃଦ୍ଧି ପାଉଛି । ଜିଲ୍ଲାରେ ଶିକ୍ଷିତ ବେକାରଙ୍କୁ ରୋଜଗାର ଓ  ଆତ୍ମନିଯୁକ୍ତି  ପାଇଁ ଅନ୍ତତଃ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀ ବହୁବର୍ଷ ହେଲା ଦାବିକରି ଆସୁଥିଲେ ସୁଦ୍ଧା , ଏହା ସମ୍ଭବ ହୋଇପାରୁନାହିଁ । ଜିଲ୍ଲାର ଅନେକ ଦୁର୍ଗମ ଗ୍ରାମାଞ୍ଚଳ କୁ ସ୍ଥାୟୀ ରାସ୍ତା ଖଣ୍ଡିଏ ନାହିଁ । ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତ ବ୍ୟବସ୍ଥା ନଥିବାରୁ ଅନେକ ଗ୍ରାମାଞ୍ଚଳ ରେ ଆମ୍ବୁଲାନ୍ସ ସେବା ମଧ୍ୟ ଅପହଞ୍ଚ ହୋଇ ରହିଛି । ଶିକ୍ଷା ବ୍ୟବସ୍ଥା ନକହିବା ଭଲ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରସାତଳଗାମି ହେବାକୁ ବସିଲାଣି । ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସରକାର 5T ଯୋଜନାରେ ନିର୍ମାଣ କରିଥିବା ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି । ଜିଲ୍ଲାର ଅଧିକାଂଶ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଛି । ବର୍ଷ ତମାମ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଦେବଗଡ ଜିଲ୍ଲା ପ୍ରତି ପ୍ରକୃତିର ରହିଛି ଅନେକ ଅବଦାନ । ଜିଲ୍ଲାରେ ପର୍ଯ୍ୟଟନ ପାଇଁ ରହିଛି ବ୍ୟାପକ ଭିତ୍ତିଭୂମି । ଜିଲ୍ଲାର ପ୍ରମୁଖ ପ୍ରଧାନପାଟ ଜଳପ୍ରପାତ, କୁରୁଡ଼କୋଟ ଜଳପ୍ରପାତ କୁ ବାଦ ଦେଲେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ରହିଛି ଏକାଧିକ ସଂଖ୍ୟାରେ ପର୍ଯ୍ୟଟନ ସ୍ଥଳୀ । ତାମଧ୍ୟରେ ରହିଛି ରେଙ୍ଗାଳି ଓ ଗୋହିରା ଆଦି ଦୁଇଟି ବିସ୍ତୀର୍ଣ୍ଣ ଜଳଭଣ୍ଡାର । ଜଳଭଣ୍ଡାର ତତବର୍ତ୍ତି ଅଞ୍ଚଳରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ । ମାତ୍ର ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନିମନ୍ତେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ସମସ୍ତ ଭିତ୍ତିଭୂମି ଥିବାସତ୍ତ୍ୱେ ଏହି ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରୁନାହିଁ ।  ଜିଲ୍ଲା ର ବିକାଶ ପାଇଁ ପ୍ରତିବର୍ଷ ବିଭିନ୍ନ ବିଭାଗକୁ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଆସୁଥିବା ବେଳେ , ଅନ୍ୟ ଜିଲ୍ଲା ତୁଳନାରେ ଦେବଗଡ ଜିଲ୍ଲା କାହିଁକି ଏତେ ପଛୁଆ ହୋଇ ରହିଛି ? କୋଉଠି ରହିଛି ପ୍ରତିବନ୍ଧକ ?  ତାହା ପ୍ରଶାସନିକ ସ୍ତରରେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ଦୀର୍ଘବର୍ଷ ପରେ ରାଜ୍ୟରେ ସରକାର ବଦଳିଛି । ନୂଆଁ ସରକାର ଶାସନ କ୍ଷମତାକୁ ଆସିଛି । ଆଶ୍ୱାସନା ର ବିଷୟ ଯେ, ଜଣେ ଦକ୍ଷ ଯୁବ ବିଧାୟକ ଓ ଜଣେ ଅଭିଜ୍ଞ ଯୁବ ସାଂସଦ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।  ସାଂସଦ ଖୋଦ କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି । ଆହୁରି ମଧ୍ୟ ଦେବଗଡ଼ର ଜିଲ୍ଲାର ସମସ୍ୟା ସହିତ ସେ ବେସ୍ ପରିଚିତ ଅଛନ୍ତି । ଏହି ପଛୁଆ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ରୂପାନ୍ତରିତ କରିବା ପାଇଁ ସେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।   ବିଶେଷକରି , ବହୁ ପ୍ରତିକ୍ଷିତ ବାରକୋଟ – ଝାରସୁଗୁଡ଼ା ନୂତନ ରେଳପଥ ନିର୍ମାଣ ପାଇଁ ସେ ନିଜ ଉଦ୍ୟମ ଜାରି ରଖିଛନ୍ତି । ଜିଲ୍ଲାରେ ରେଳ ସଂଯୋଗିକରଣ ହେଲେ ଏହା ଜିଲ୍ଲାର ବିକାଶ ପଥକୁ ଯେ ସୁଗମ କରିବ ଏଥିରେ ଦ୍ବିମତ ନାହିଁ । ସେହିପରି ଯୁବ ବିଧାୟକ ମଧ୍ୟ ଜିଲ୍ଲାର ବିଭିନ୍ନ ଜନସମସ୍ୟା ନେଇ ବିଧାନସଭାରେ ବାରମ୍ବାର ସ୍ୱର ଉତ୍ତୋଳନ କରି ଆସୁଛନ୍ତି । ଏଭଳି ସ୍ଥିତି ଜିଲ୍ଲାର ବିକାଶ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି ।

ତେବେ ଯୁବ ନେତୃତ୍ବ ଜିଲ୍ଲାର ବିକାଶ ପ୍ରକ୍ରିୟା କୁ କିଭଳି ଆଗେଇ ନେବେ ଓ ଦୀର୍ଘ ୩୨ ବର୍ଷ ହେଲା ବିକାଶର ସ୍ଵାଦ ଚାଖିନଥିବା ଦେବଗଡ ଜିଲ୍ଲା କେବେ ଏକ ବିକଶିତ ଜିଲ୍ଲାରେ ରୂପାନ୍ତରିତ ହେବ,  ତାହା ଦେଖିବାକୁ ବାକି ରହିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer