ଦେବଗଡ ଜିଲ୍ଲାରୁ ଉଦ୍ଧାର ହେଲା ବାଘଛାଲ । ଡିଲ ଚାଲିଥିବା ବେଳେ ଚଢାଉ କଲା ବନବିଭାଗ । ୭ ଅଭିଯୁକ୍ତ ଗିରଫ ।
ଦେବଗଡ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ। ବନ୍ୟପ୍ରାଣୀ ଶୀକାର ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ବାରକୋଟ ବନାଞ୍ଚଳ ଠିଆନାଳ ସେକ୍ସନରେ ଆଜି ଏକ ଢାବାରେ ପୁଣି ଏକ କଲରାପତରିଆ ବାଘ ଛାଲ ଡିଲ ଚାଲିଥିବାବେଳେ ବନବିଭାଗର ଟିମ ଚଢଉ କରି ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ କଲରାପତରିଆ ବାଘ ଛାଲ ସହ ୨ଟି ବାଇକ, ମୋବାଇଲ ବନବିଭାଗ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଯୋଧପୁର ଜିଲ୍ଲାର ଲମ୍ବା ଗ୍ରାମର ଅଶୋକ ବିଶନୋଇ (୨୦), ରାଜସ୍ଥାନର କପର୍ଦା ଥାନାଞ୍ଚଳର ଅଜୟପାଲ ବିଶନୋଇ(୨୧), ବାରକୋଟ ଆନାଞ୍ଚଳର ରାଜମୁଣ୍ଡା ଗ୍ରାମର ମନସିଂ ବରୀ(୬୪),ଝରବାହାଳ ଗ୍ରାମର ରମେଶ ଚନ୍ଦ୍ର ନାଏକ(୪୨),ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା(୪୦), ଠିଆନାଳ ଗ୍ରାମର କର୍ମୁ ନାଏକ(୬୧) ଓ ସାନବାଗଦରି ଗ୍ରାମର ବୀରବର ନାହକ(୫୨)।
ସୂଚନା ଅନୁଯାୟୀ, ବାରକୋଟ ଆନାଞ୍ଚଳର ରାଜମୁଣ୍ଡା ଗ୍ରାମରେ ଥିବା ରାଜସ୍ଥାନୀ ଢାବାରେ ଆଜି କଲରାପତରିଆ ବାଘ ଛାଲ ଡିଲ ଚାଲୁଥିବା ନେଇ ବନବିଭାଗର କର୍ମଚାରୀମାନେ ବିଶେଷ ସୁତ୍ରରୁ ସୂଚନା ପାଇଥିଲେ। ସୂଚନା ପାଇବା ପରେ ବନବିଭାଗର କର୍ମଚାରୀମାନେ ଉକ୍ତ ଢାବାରେ ଚଢଉ କରି ୭ଜଣଙ୍କୁ କାବୁ କରିଥିବାବେଳେ ସେମାନଙ୍କ ନିକଟରୁ ବାଘ ଛାଲ ଜବତ କରିଥିଲେ । ବନବିଭାଗ ଚଢଉ କରିଥିବାବେଳେ ଉକ୍ତ ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବାବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଲରାପତରିଆ ବାଘକୁ କେଉଁଠି ଶିକାର କରାଯାଇଛି ସେ ନେଇ ବନବିଭାଗ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ବିଗତ କିଛିବର୍ଷ ହେଲା ଦେବଗଡ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜିଲ୍ଲାରେ ବନ୍ୟପ୍ରାଣୀ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ଯାହାକି ପରିବେଶବିତ୍ତଙ୍କ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
