ଆସନ୍ତା ଫେବୃଆରୀରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନାରେ ପାଖାପାଖି ୩୦ ହଜାର ହସପିଟାଲ ଅନୁବନ୍ଧିତ ହେବ ।
ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୩୦ ହଜାରରୁ ଅଧିକ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟକାର୍ଡ ମିଳିବ । ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହି ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସୁବିଧା ରହିଛି ।
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ବିଦ୍ଧିବଦ୍ଧ ଭାବେ MoU ସ୍ଵାକ୍ଷର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେକହିଛନ୍ତି ଯେ, ‘‘ବିରୋଧୀ ଦଳରେ ଥିଲା ସମୟରେ ଅନେକ ବାର ଏହାକୁ ଲାଗୁ କରିବାକୁ ଦାବି କରି ଆସୁଥିଲୁ। ବର୍ତ୍ତମାନ ସମୟରେ ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେବେ ରାଜ୍ୟରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ବିଶେଷ ଭାବରେ ଉପକାର ପାଇପାରିବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ। ଏହା ସହ ଦେଶର ପ୍ରାୟ ୩୦ ହଜାର ହସ୍ପିଟାଲ୍ରେ ଏହାର ସୁବିଧା ଉପଲବ୍ଧ ହେବ’’ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆସନ୍ତୁ ଜାଣିବା ଆୟୁଷ୍ମାନ ଭାରତ ଯୋଜନାରେ କଣ ରହିଛି ସୁବିଧା ?
ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ । ସାଢେ ୩ କୋଟି ଲୋକେ ପାଇବେ ସୁବିଧା । ସମ୍ପୂର୍ଣ୍ଣ କ୍ୟାସଲେସ ଚିକିତ୍ସା ସୁବିଧା ରହିବ । କାର୍ଡରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା । ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ସୁବିଧା । ତାଲିକାଭୁକ୍ତ ହସପିଟାଲରେ ମାଗଣା ଚିକିତ୍ସା ପାଇବେ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବରିଷ୍ଠ ନାଗରିକ । ବାହାର ରାଜ୍ୟରେ ରହୁଥିବା ଲୋକେ ବି ପାଇବେ ଏହି ସୁବିଧା । E-kyc ଡାଟା ବେଶ ଆଧାରରେ ମିଳିବ ସ୍ୱାସ୍ଥ୍ୟ କାର୍ଡ । BSKY ହିତାଧିକାରୀଙ୍କୁ ବି ମିଳିବ ଏହି ସୁବିଧା ।
