ଧୁମଧାମରେ ଚାଲିଛି ଉତ୍ସବ । ଏହି ଉତ୍ସବର ରଙ୍ଗାରଙ୍ଗ ମାହୋଲରେ ହଜିଯାଇଛି ପ୍ରପାତ ସୁନ୍ଦରୀର ବ୍ୟଥା । ଉତ୍ସବର ମହୋଲରେ ସମସ୍ତେ ମସଗୁଲ ଥିବାବେଳେ , ସେପଟେ ନିଜ ଅସ୍ତିତ୍ଵ ନେଇ ସଂଘର୍ଷ କରୁଛି ପ୍ରପାତ ସୁନ୍ଦରୀ ପ୍ରଧାନପାଟ ଜଳପ୍ରପାତ ।
ଦେବଗଡ ପ୍ରଧାନପାଟ ସ୍ଥିତ ବଡବାଗିଚା ଠାରେ ଗତ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ଜିଲ୍ଲାର ଲୋକ ମହୋତ୍ସବ ‘ ଉତ୍ସବ ପ୍ରଧାନପାଟ ‘ । ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ଲୋକ ମହୋତ୍ସବ । ଏହି ମହୋତ୍ସବର ପ୍ରତିଟି ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗକୁ ସଙ୍ଗୀତ ନୃତ୍ୟ ଗୀତର ତାଳେତାଳେ ବିଭୋର ହୋଇଯାଇଛନ୍ତି ଦର୍ଶକ । ପ୍ରତି ସଂନ୍ଧ୍ୟାରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଅତିଥି ଭାବେ ଆସୁଛନ୍ତି ନେତା ମନ୍ତ୍ରୀ ଓ ବିଭିନ୍ନ ପଦାଧିକାରୀ । ପ୍ରଧାନପାଟର ଗୁଣଗାନ ନେଇ ଅନର୍ଗଳ ଭାଷଣ ବାଜିର ସୁଅଛୁଟୁଛି । ମାତ୍ର ପରବର୍ତ୍ତୀ ସମୟରେ ସବୁକିଛି ଚୁପ୍ । ଉତ୍ସବର ରଙ୍ଗାରଙ୍ଗ ମାହୋଲରେ ହଜିଯାଇଛି ପ୍ରପାତ ସୁନ୍ଦରୀ ପ୍ରଧାନପାଟ ଜଳପ୍ରପାତର ବ୍ୟଥା । ପ୍ରଧାନପାଟର ସୁରକ୍ଷା ଓ ପୁନରୁଦ୍ଧାର କଥା ଯେପରି ସମସ୍ତେ ଭୂଲି ଯାଉଛନ୍ତି ।ସେପଟେ ବିପର୍ଯ୍ୟୟର ଦ୍ୱାରଦେଶରେ ନିଜର ଅସ୍ତିତ୍ବ ନେଇ ସଂଘର୍ଷ କରୁଛି ପ୍ରପାତ ସୁନ୍ଦରୀ ପ୍ରଧାନପାଟ ଜଳପ୍ରପାତ ।
ପ୍ରଧାନପାଟ ଜଳପ୍ରପାତ ଦେବଗଡ ଜିଲ୍ଲାର ଗର୍ବ ଓ ଗୌରବ । ଏହି ଜଳପ୍ରପାତ ଦେବଗଦ ଜିଲ୍ଲାକୁ ଦେଇଛିଏକ ସ୍ବତନ୍ତ୍ର ପରିଚୟ । ଏହାଯେ କେବଳ ରାଜ୍ୟର ଏକ ପ୍ରମୁଖ ଓ ମନୋରମ ପର୍ଯ୍ୟଟନ ସ୍ଥଳୀ ତାନୁହଁ , ବରଂ ଏହା ଦେବଗଡ ସହରବାସୀଙ୍କ ‘ଜୀବନରେଖା’ ବା ‘Life Line’ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କୋଉଁ ଆବାହନ କାଳରୁ ଏହି ଜଳପ୍ରପାତର ଜଳଧାର ଦେବଗଡ ସହରବାସୀଙ୍କ ତୃଷା ନିବାରଣ କରିଆସୁଛି । ଏହାହିଁ ସହରବାସୀଙ୍କ ପାନୀୟଜଳର ଏକମାତ୍ର ବିକଳ୍ପ ଭାବେ ରହିଆସିଛି । କେବଳ ଏତିକି ନୁହଁ , ପ୍ରଧାନପାଟ ଝରଣା ଓ ଏହାର ପ୍ରାକୃତିକ ପରିବେଶ ସହରବାସୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ।
ମାତ୍ର ଅତ୍ୟନ୍ତ ଉଦବେଗର ବିଷୟ ହେଲା, ବର୍ତ୍ତମାନ ଏହି ଜଳପ୍ରପାତ ନିଜର ଅସ୍ତିତ୍ବ ହରାଇବାକୁ ବସିଛି। ଦ୍ରୁତ ଜଙ୍ଗଲ ଅବକ୍ଷୟ କାରଣରୁ କିଛିବର୍ଷ ହେଲା ପ୍ରଧାନପାଟ ଜଳପ୍ରପାତର ଜଳଧାର କ୍ରମାଗତ ଭାବେ ସଙ୍କୁଚିତ ହେବାରେ ଲାଗିଛି । ପର୍ବତ ଶିଖରରୁ ବୋହି ଆସୁଥିବା ଝରଣାର ଜଳସ୍ରୋତ ଶୁଖି ଆସୁଛି । ଝରଣା ଉତ୍ପତ୍ତି ସ୍ଥଳର ଜଳଉତ୍ସ ମାଟିରେ ପୋତି ହେବାକୁ ବସିଲାଣି । ପରିସ୍ଥିତି ଏପରି ହେଲାଣି ଯେ, ଆଗାମୀ କିଛିବର୍ଷ ମଧ୍ୟରେ ଏହି ଜଳପ୍ରପାତ ସମ୍ପୁର୍ଣ୍ଣ ଶୁଷ୍କ ହୋଇଯିବାର ଆଶଙ୍କା ଦେଖାଦେଇଛି । ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନାମରେ ପ୍ରତିବର୍ଷ ଅଜସ୍ର ଅର୍ଥ ବ୍ୟୟ ହେଉଛି । ହେଲେ ଏହାର ଜଳାଉତ୍ସ ତଥା ପର୍ବତ ସିଖରରୁ ବୋହି ଆସୁଥିବା ପ୍ରଧାନପାଟ ଝରଣାର ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ କାହାରି ତିଲେହେଲେ ବି ଦୃଷ୍ଟି ଥିବାଭଳି ପରିଲକ୍ଷିତ ହେଉନାହିଁ । ଫଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନାମରେ ଅଜସ୍ର ସରକାରୀ ଅର୍ଥ କେବଳ ପାଣିରେ ପଡ଼ିବା ହିଁ ସାର ହୋଇଛି । ପ୍ରଧାନପାଟ ଝରଣାର ଅସ୍ତିତ୍ବ ନରହିଲେ ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ମୂଲ୍ୟହୀନ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ବିଡ଼ମ୍ବନାର ବିଷୟ ହେଲା, ଯେଉଁ ପ୍ରଧାନପାଟ ଜଳପ୍ରପାତ ନାମରେ ନାମିତ କରାଯାଇ ପ୍ରତିବର୍ଷ ଏହି ଜିଲ୍ଲାସ୍ତରୀୟ ଉତ୍ସବ ପାଳନ କରାଯାଉଛି, ସେହି ପ୍ରଧାନପାଟ ର ସୁରକ୍ଷା ଓ ପୁନରୁଦ୍ଧାର ସମ୍ପର୍କରେ ଏଠାରେ ଆଲୋଚନାଚକ୍ର ଟିଏ ସୁଦ୍ଧା କରିବାକୁ କହାରି ପାଖରେ ସମୟ ନାହିଁ । ଆୟୋଜକ ଓ ପ୍ରଶାସନର ଅଦୁରଦର୍ଷିତା କାରଣରୁ ଉତ୍ସବ ପ୍ରଧାନପାଟ ବର୍ତ୍ତମାନ ନିଜ ଲକ୍ଷସ୍ଥଳ ରୁ ଦୁରେଇଯାଇ କେବଳ କିଛି ମନୋରଞ୍ଜନଧର୍ମି କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ହୋଇ ରହିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଜିଲ୍ଲାର ଲୋକକଳା,ସଂସ୍କୃତି,ଐତିହ୍ୟ,ପରମ୍ପରାକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ସହ ପ୍ରଧାନପାଟ ଜଳପ୍ରପାତର ବାର୍ତ୍ତା ପ୍ରତି କ୍ଷେତ୍ରକୁ ପହଞ୍ଚାଇବା ଭଳି ଯେଉଁ ମହତ୍ ଲକ୍ଷ ନେଇ ୧୯୯୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ‘ଉତ୍ସବ ପ୍ରଧାନପାଟ’ ଆରମ୍ଭ କରିଥିଲେ, ତାହା ବର୍ତ୍ତମାନ ଲକ୍ଷଚ୍ୟୁତ ହୋଇଥିବା ଜିଲ୍ଲାର ପରିବେଶବିତ୍ତ, ପ୍ରକୃତିପ୍ରେମି ଓ ବୁଦ୍ଧିଜୀବିଙ୍କୁ ବ୍ୟଥିତ କରିଛି।
