ଏନ୍ ଏଚ ଏ ଆଇ (NHAI) ର ମନମାନି ବିରୋଧରେ ତେଜିଲା ଜନ ଆନ୍ଦୋଳନ। ଟୋଲପ୍ଲାଜାକୁ ବେଆଇନ ଦର୍ଶାଇ ବିରୋଧ କଲେ ଅଞ୍ଚଳବାସୀ । ଟୋଲପ୍ଲାଜା ସମ୍ମୁଖରେ ଧାରଣା ଦେଲେ ଶତାଧିକ ଲୋକ । ଲୋକଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।
ଦେବଗଡ଼ ଜିଲ୍ଲାରେ ସରକାରୀ ନୀତି ନିୟମ ଉଲଙ୍ଘନ କରି ଏନଏଚଏଆଇ (NHAI) କତ୍ତୃପକ୍ଷ ମନଇଛା ଗୋଟିଏ ପରେ ଗୋଟିଏ ଟୋଲଗେଟ ନିର୍ମାଣ କରି ଲୋକଙ୍କୁ ଆର୍ଥିକ ଶୋଷଣ କରି ଚାଲିଥିବା ବିରୋଧରେ ଆରମ୍ଭ ହୋଇଛି ବିଶାଳ ଜନ ଆନ୍ଦୋଳନ। ଆଜି ବାରକୋଟ ବ୍ଲକ ବଲାଣି ଠାରେ ନବନିର୍ମିତ ଟୋଲପ୍ଲାଜାକୁ ତୀବ୍ର ବିରୋଧ କରି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ଶତାଧିକ ଲୋକ ଟୋଲପ୍ଲାଜା ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଟୋଲପ୍ଲାଜାକୁ ବେଆଇନ ଦର୍ଶାଇ ଏହାକୁ ତୁରନ୍ତ ଉଚ୍ଛେଦ କରାଯିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଶିଳ୍ପ ବିହୀନ ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ମାତ୍ର ୧୨ କିଲୋମିଟର ବ୍ୟବଧାନରେ ଦୁଇଟି ଟୋଲଗେଟ ନିର୍ମାଣ କରି ଯାନବାହାନ ନେଇ ଯାତାୟତ କରୁଥିବା ଲୋକଙ୍କ ଠାରୁ ଟୋଲଟ୍ୟାକ୍ସ ଆଦାୟ କରାଯାଉଛି ।ଫଳରେ ସ୍ଥାନୀୟ ଜନସାଧାରଣ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।
ସୂଚନା ଅନୁଯାୟୀ , ପୂର୍ବରୁ ବାରକୋଟ ଠାରୁ ମାତ୍ର ୭ କିଲୋମିତର ଦୂର ବଡ଼କୁଦର ଠାରେ ଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ କିଛିବର୍ଷ ହେଲା ଗୋଟିଏ ଟୋଲପ୍ଲାଜାରୁ ଟାକ୍ସ ଆଦାୟ ହେଉଥିବା ବେଳେ, ପୁଣି ବାରକୋଟ ରୁ ମାତ୍ର ୫ କିଲୋମିଟର ଦୁର ବଲାଣି ଠାରେ ଆଉଏକ ଟୋଲପ୍ଲାଜା ନିର୍ମାଣ କରାଯାଇ ଟୋଲ ଟ୍ୟାକ୍ସ ଆଦାୟ ଚାଲିଛି । ଯାହାକି ଜିଲ୍ଲାବାସୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ ବୋଝ ଲଦି ଦିଆଯାଉଛି । ତେଣୁ ଏହାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣ ବାରମ୍ବାର ଏସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ , କେନ୍ଦ୍ର ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ମଧ୍ୟ ଏସଂକ୍ରାନ୍ତରେ ବିଧାନସଭାର ଦୃଷ୍ଟି ଆକର୍ଷଣ କରି ଏହାକୁ ତୁରନ୍ତ ଉଚ୍ଛେଦ କରାଯିବାକୁ ଦାବି ଉପସ୍ଥାପନ କରିଥିଲେ । ମାତ୍ର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ବିଭାଗୀୟ କତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନେଇନଥିଲେ । ତେଣୁ ଏହାକୁ ବିରୋଧ କରି ଅଞ୍ଚଳବାସୀ ଆଜି ରାଜରାସ୍ତାକୁ ଓହ୍ଲାଇ ଥିବା ଦେଖାଯାଇଛି । ଟୋଲପ୍ଲାଜାକୁ ଉଚ୍ଛେଦ କରାନଗଲେ ଆଗାମୀ ଦିନରେ ଏହି ଜନ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଏଠାରେ ଚେତାବନୀ ଦିଆଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ନିୟମ ଅନୁଯାୟୀ ୬୦ କିଲୋମିଟର ବ୍ୟବଧାନରେ ଦୁଇଟି ଟୋଲପ୍ଲାଜା ରହିପାରିବ ନାହିଁ । ତେବେ ଏକ୍ଷେତ୍ରରେ ମାତ୍ର ୧୨ କିଲୋମିଟର ବ୍ୟବଧାନରେ ଦୁଇଟି ଟୋଲପ୍ଲାଜା କିଭଳି ଓ କାହା ସ୍ୱାର୍ଥରେ ନିର୍ମାଣ ପାଇଁ ଅନୁମତି ଦିଆଗଲା ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
