ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡ଼ିବସିଲା ପୋଲିସ । କଲରାପତରିଆ ବାଘଛାଲ ଜବତ , ୭ ଆସାମୀ ଗିରଫ । ଦେବଗଡ ଜିଲ୍ଲାରେ ଘଟିଛି ଏହି ଘଟଣା ।
ରିଆମାଳ ଥାନା ଅଞ୍ଚଳର ତାରଙ୍ଗ ଗ୍ରାମ ନିକଟରେ ଆଜି ଏକ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡିବସିଲା ପୋଲିସ । ଘଟଣା ସ୍ଥଳରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଥିବା ବେଳେ ଏଥିରେ ସାମିଲ ଥିବା ୭ ଜଣଙ୍କୁ ପୋଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଅଟକ ଅଭିଯୁକ୍ତ ମାନେ ହେଲେ କୁଣ୍ଢେଇଗୋଳା ଥାନା ସିଆରିମାଳିଆ ଗ୍ରାମର ପରମାନନ୍ଦ ବଣିଚୂଳ,ରିଆମାଳ ଥାନା ମଳେହିପଡା ଗ୍ରାମର ମହେନ୍ଦ୍ର ହାତୀ, ରିଆମାଳ ଥାନା କାଦୋପଡା ଗ୍ରାମର ରଞ୍ଜିତ ଦେହୁରୀ, ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଡେରାପଥର ଗ୍ରାମର କାର୍ତିକ ଦେହୁରୀ, କିସିଣ୍ଡା ଥାନା ମହୁଲପାଲି ଗ୍ରାମର ଦୁର୍ଯ୍ୟୋଧନ ବାଘ, କିସିଣ୍ଡା ଥାନା ଢୋଲପୁର ଗ୍ରାମର ପ୍ରତାପ ଚେଲେକଚେଲା ଓ ଜୁଜୁମୁରା ଥାନା ମେଘପାଳ ଗ୍ରାମର ଧନକୁମାର ଭେଙ୍ଗରା।
ସୂଚନା ଅନୁଯାୟୀ, ଆଜି ସକାଳେ ରିଆମାଳ ଥାନା ଅଞ୍ଚଳର ତାରଙ୍ଗ ଗ୍ରାମରେ ଏକ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ , ରିଆମାଳ ପୋଲିସ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଓ ରିଆାମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ପୋଲିସ ଘଟଣା ସ୍ଥଳରେ ଚଢଉ କରିଥିଲା । ଚଢଉ ସମୟରେ ପୋଲିସ ୭ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ବାଘଛାଲ ଜବତ କରିଥିଲା। ତେବେ କଲରାପତରିଆ ବାଘକୁ କେବେ ଓ କିପରି ହତ୍ୟା କରାଯାଇଥିଲା ? ଏବଂ ଉକ୍ତ ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ? ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହାସହିତ ଅଧିକ ତଦନ୍ତ ପାଇଁ ମାମଲା ଏସଟିଏଫ୍କୁ ହସ୍ତାନ୍ତର କରାଯିବ ବୋଲି ଏସପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।
