ଦେବଗଡ଼ ମହାବିଦ୍ୟାଳୟର ମହିଳା କନିଷ୍ଠ କିରାଣୀ ମଞ୍ଜୁଳା ପ୍ରଧାନ ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର ଭାଲିଆଡିହି ଗ୍ରାମର ଶକ୍ତିମାନ ରଣା କଲେଜରୁ ଅରଜିନାଲ ସାର୍ଟିଫିକେଟ ନେଇ ଥିବା ବେଳେ ତାହା ଉଇ ଖାଇ ନଷ୍ଟ ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ନୂତନ ସାର୍ଟିଫିକେଟ ପାଇଁ କଲେଜର କନିଷ୍ଠ କିରାଣି ମଞ୍ଜୁଳାଙ୍କ ସହିତ ଶକ୍ତିମାନ ଯୋଗାଯୋଗ କରିଥିଲେ। ସେହି ସମୟରେ ମଞ୍ଜୁଳା ତାଙ୍କୁ ପାଞ୍ଚ ହଜାର ଟଙ୍କା ମାଗିଥିଲେ। ଏନେଇ ଶକ୍ତିମାନ ଦେବଗଡ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ। ପୂର୍ବଯୋଜନା ମୁତାବକ ଆଜି ଶକ୍ତିମାନ କନିଷ୍ଠ କିରାଣୀ ମଞ୍ଜୁଳାଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଦେବଗଡ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଦେବଗଡ଼ ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
