ବିଧାନସଭାରେ ଉଠିଲା ହାତୀମୃତ୍ୟୁ ପ୍ରସଙ୍ଗ । ହାତୀମୃତ୍ୟୁ ପ୍ରସଙ୍ଗରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ ରାଜ୍ୟରେ ଅଛନ୍ତି ମୋଟ୍ ୨୧୦୩ ଟି ହାତୀ । ପ୍ରତିବର୍ଷ ବିଭିନ୍ନ କାରଣରୁ ଯାଉଛି ହାରାହାରି ୮୧ ହାତୀଙ୍କ ଜୀବନ ।
ଏହି ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ତାଙ୍କ ଉତ୍ତରରେ କହିଛନ୍ତିଯେ “୨୦୨୪ ମସିହା ନଭେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୨୧୦୩ ଟି ହାତୀ ଥିବାବେଳେ, ସେଥିମଧ୍ୟରୁ ମୟୂରଭଞ୍ଜରେ ସର୍ବାଧିକ ୨୯୫ଟି ହାତୀ ଓ ଢେଙ୍କାନାଳରେ ୨୯୧ ହାତୀ ରହିଛନ୍ତି । ଅନୁଗୁଳରେ ୨୫୪ , କେନ୍ଦୁଝରରେ ୧୯୫ , ସୁନ୍ଦରଗଡ଼ରେ ୧୭୯ ଓ ସମ୍ବଲପୁରରେ ୧୪୦ ହାତୀ ଅଛନ୍ତି । ସେହିପରି କଟକରେ ୧୩୨, ଖୋର୍ଦ୍ଧାରେ ୮୩, ନୟାଗଡ଼ରେ ୫୬, ବାଲେଶ୍ଵରରେ ୫୪, ଗଞ୍ଜାମରେ ୯୩, ଗଜପତିରେ ୯, କନ୍ଧମାଳରେ ୫୪, ବୌଦ୍ଧରେ ୧୬, ସୁବର୍ଣ୍ଣପୁରରେ ୩, ବଲାଙ୍ଗୀରରେ ୪୨, କଳାହାଣ୍ଡିରେ ୯୫, ଝାରସୁଗୁଡାରେ ୧, ଦେବଗଡ଼ରେ ୧୦୭, ବରଗଡରେ ୩, ଓ ରାୟଗଡାରେ ୧ ହାତୀ ଥିବା ଗଣନାରୁ ଜଣାଯାଇଛି । ଏଥିସହ ଜଙ୍ଗଲରେ ହାତୀମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ , ଚାରଣ ଭୂମିର ବିକାଶ , କୂତ୍ରିମ ଜଳାଶୟ ନିର୍ମାଣ , ଜଙ୍ଗଲ ନିଆଁ କୁ ଆୟତ୍ତ , ବନ୍ୟଜନ୍ତୁ ଶିକାରକୁ ରୋକିବା ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ କରିବା ଆଦି ପଦକ୍ଷେପ ସରକାର ନେଇଥିବା ଜଙ୍ଗଲ ମନ୍ତ୍ରୀ ଉତ୍ତର ରଖିଛନ୍ତି ।
