ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପ ( Lift Irrigation Project ) ସମ୍ବନ୍ଧରେ ଆଜି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ଏହାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଅଣତାରକା ପ୍ରଶ୍ନ ସଂଖ୍ୟା ଥିଲା ୧୩୭୪ । ପ୍ରଶ୍ନ ପଚାରିଥିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ପ୍ରଶ୍ନ ଥିଲା ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେତୋଟି Lift Irrigation Point ଅଛି ? ସେଥିମଧ୍ୟରୁ କେତୋଟି କାର୍ଯ୍ୟକ୍ଷମ ଅଛି ? କାର୍ଯ୍ୟକ୍ଷମ ନଥିବା L I Point କୁ କାର୍ଯ୍ୟକ୍ଷମ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ଓ ସେସବୁ କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ? ଏଥିସହ ଆଗାମୀ ବର୍ଷ ପାଇଁ ଜିଲ୍ଲାରେ କେତୋଟି L I Point ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ଅଛି ?
ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ , ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଦେବଗଡ ଜିଲ୍ଲାରେ ୨୬୯ ଗୋଟି ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି । ଏଥିରେ ୬୮୧୬ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା କରାଯାଇଛି । ସେଥି ମଧ୍ୟରୁ ୪୮ ଗୋଟି ପ୍ରକଳ୍ପ ବିଭିନ୍ନ କାରଣରୁ ଅଚଳ ଥିବାବେଳେ ୧୦୭୨ ହେକ୍ଟର ଜମିକୁ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଅବଶିଷ୍ଟ ୨୨୧ ଗୋଟି ପ୍ରକଳ୍ପ ସଚଳ ଥାଇ ୫୭୪୪ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଉଛି । ଅଚଳ ହୋଇ ପଡିଥିବା ପ୍ରକଳ୍ପ ଗୁଡିକୁ ମରାମତି କରିବା ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଆହ୍ଵାନ କରାଯାଇଥାଏ । ଅଚଳ ଥିବା ୪୮ ଗୋଟି ପ୍ରକଳ୍ପ ମଧ୍ୟରୁ ୧୧ ଗୋଟି ପ୍ରକଳ୍ପର ଚାଷୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବାରୁ ଏହି ୧୧ ଗୋଟି ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ସଚଳ କରାଯାଇ ୨୨୦ ହେକ୍ଟର ଚାଷଜମିକୁ ପୁନଃ ଜଳସେଚନ ଯୋଗାଇବା ପାଇଁ ଲକ୍ଷ ରଖାଯାଇଛି । ଅବଶିଷ୍ଟ ୩୭ ଗୋଟି ଅଚଳ ପ୍ରକଳ୍ପ ଗୁଡିକୁ ଚାଷୀମାନଙ୍କ ଆବେଦନ ଅନୁସାରେ ପର୍ଯ୍ୟାୟକ୍ରମେ ସଚଳ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ।
ଜଳସେଚନ ବ୍ୟବସ୍ଥାର ବ୍ୟାପକ ସମ୍ପ୍ରସାରଣ ପାଇଁ ଜଳସେଚନ ବିଭାଗ ଦ୍ଵାରା ଜିଲ୍ଲାରେ ୧୧ ଗୋଟି ନୂତନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ସେଗୁଡିକ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ରେ ସମ୍ପୂର୍ଣ କରାଯାଇ ୩୪୪ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ପ୍ରଦାନ କରାଯିବ ।
