ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତର ଆଡ଼ସ ଓ ରାମପାଲି ଅଞ୍ଚଳରେ ମିଳିଛି ସୁନାର ସନ୍ଧାନ । ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କରାଯାଇ ଉକ୍ତ ଅଞ୍ଚଳରେ ସୁନା ସହିତ ତମ୍ବାପଥର, ନିକେଲ, ରୂପା ଓ ଗ୍ରାଫାଇଟ ଆଦି ଖଣିଜ ପଦାର୍ଥ ଥିବା ଜଣାପଡିଛି ।ସେଥିମଧ୍ୟରୁ ନିକେଲ ଓ ଗ୍ରାଫାଇଟ Critical Minerals ଅନ୍ତର୍ଭୁକ୍ତ ହୋଇଥିବାରୁ ଉକ୍ତ ବ୍ଳକର ନିଲାମ ପ୍ରକ୍ରିୟା ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଦ୍ବାରା ସମ୍ପାଦିତ ହେବାର ଯୋଜନା ରହିଛି ।
ସେହିପରି କେଉଁଝର ଜିଲ୍ଲାର ଗୋପୁର ଅଞ୍ଚଳରେ ଜି-୩ ସ୍ତରରେ ସୁନାର ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହୋଇଛି । ୨୦୨୪-୨୫ ବର୍ଷରେ ଉକ୍ତ ବ୍ଳକର ଜଳଡ଼ିହି ଅଞ୍ଚଳରେ ଜି-୨ରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୁଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।
