ନିର୍ଦ୍ଧାରିତ ସମୟସୀମା ସରିଛି । ହେଲେ ସରିପାରୁନି ସେତୁ ନିର୍ମାଣ କାମ । ସେତୁ ନିର୍ମାଣ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ଵେବି ମାନୁନାହାନ୍ତି ଠିକାଦାର । ସେପଟେ ସେତୁ ନିର୍ମାଣ କାମରେ ଅହେତୁକ ବିଳମ୍ବ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କାଳିଆପାଳ ପଞ୍ଚାୟତ ଅନ୍ତର୍ଗତ ଲାଲାପଶି ଠାରୁ କାଳିଆପାଳ ଯାଇଥିବା ରାସ୍ତା ଉପରେ ପଡ଼ିଥାଏ ମଙ୍ଗlଳାବୁଡା ନାଳ । ଏହି ଚିରସ୍ରୋତା ନାଳ ଅତିକ୍ରମ କରି ପ୍ରତିଦିନ ଯାତାୟତ କରିଥାନ୍ତି କାଳିଆପାଳ, ଜାଲିଶୁଆଁ, ବୁଢ଼ାଭୁଇଁ, ଚାଖୁଣ୍ଡା, ଲାଲାପଶୀ,କଲା, ଓ ସଇଡ଼ା ଆଦି ଆଠଖଣ୍ଡ ଗ୍ରାମର ଲୋକେ । ବର୍ଷା ଋତୁରେ ଏହି ନାଳରେ ବନ୍ୟା ଆସିବା ଫଳରେ ଏହି ରାସ୍ତାଟି ବିଚ୍ଛିନ୍ନ ହୋଇ ପଡ଼ିଥାଏ । ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ମଙ୍ଗଳାବୁଡା ନାଳ ଉପରେ ଗୋଟିଏ ସେତୁ ନିର୍ମାଣ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଦୀର୍ଘବର୍ଷ ହେବ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ।
ଗତ ୨୦୨୩ ମସିହାରେ ସରକାର ‘ବିଜୁ ସେତୁ ଯୋଜନା’ ରେ ଏହି ନାଳ ଉପରେ ଗୋଟିଏ ସେତୁ ନିର୍ମାଣ ପାଇଁ ଅନୁମୋଦନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ନିର୍ମାଣ ପାଇଁ ମୋଟ ୪ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ମାଧ୍ୟମରେ ଏହାର ନିର୍ମାଣ କାର୍ଯ୍ୟ ‘ମେସର୍ସ ତୁଳସୀ କନ୍ଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କୁ ହସ୍ତାନ୍ତର କରାଗଲା । ଚୁକ୍ତିନାମା ଅନୁଯାୟୀ ମୋଟ ୬୪ .୬୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁର ନିର୍ମାଣ କାର୍ଯ୍ୟ ସଂପୃକ୍ତ ଠିକାସଂସ୍ଥା ଗତ ୨୪/୫/୨୦୨୩ ତାରିଖ ଆରମ୍ଭ କରି ୨୩/୧୧/୨୦୨୪ ତାରିଖ ସୁଦ୍ଧା ସମାପ୍ତ କରିବା କଥା । ମାତ୍ର ସଂପୃକ୍ତ ଠିକା ସଂସ୍ଥା ଏହି କାର୍ଯ୍ୟଟି ଆରମ୍ଭ କରିଥିଲେ ହେଁ, ଏହା ନିର୍ଦ୍ଧାରିତ ସମୟ ଶେଷ କରିପାରିନାହିଁ । ଇତିମଧ୍ୟରେ ଦୀର୍ଘ ଚାରିମାସ ବିତିବାକୁ ବସିଥିଲେ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ହେବା ତ ଦୁରକଥା , ୫୦ ପ୍ରତିଶତ ମଧ୍ୟ ହୋଇପାରିନାହି । ସଂପୃକ୍ତ ଠିକାସଂସ୍ଥାର ବେପରୁଆ ମନୋଭାବ କାରଣରୁ ନିର୍ମାଣ କାର୍ଯ୍ୟ ଅତି ଧିର ମନ୍ଥର ଗତିରେ ଚାଲିଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଠିକାସଂସ୍ଥା ନିର୍ମାଣ କାମ ବାବଦକୁ ଏପର୍ଯ୍ୟନ୍ତ ମୋଟ ୧ କୋଟି ୬୧ ଲକ୍ଷ ଟଙ୍କା ବିଲ ଉଠାଇ ସାରିଛନ୍ତି । ମାତ୍ର ବିଲ ଅନୁପାତରେ ନିର୍ମାଣ କାର୍ଯ୍ୟ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେତୁ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ବିଭାଗୀୟ କତ୍ତୃପକ୍ଷ ସଂପୃକ୍ତ ଠିକାସଂସ୍ଥାକୁ ବାରମ୍ବାର ତାଗିଦ କରି ଆସୁଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁନାହିଁ । ସେପଟେ ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏ ସଂପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା କଥାକୁ ସେ ସ୍ୱୀକାର କରିବା ସହ କାର୍ଯ୍ୟଟି ବର୍ଷାଋତୁ ପୂର୍ବରୁ ସମାପ୍ତ ନକଲେ ସଂପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
