ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାରେ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେବଗଡ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ତାପମାତ୍ରା ଆସି ୪୦ ଡିଗ୍ରୀ ଛୁଇଁଲାଣି । ଆଗକୁ ଏହି ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାରେ ମାର୍ଚ୍ଚ ପହିଲାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଜିଲ୍ଲାରେ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ କିଛିଦିନ ହେଲା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ଜଣାଯାଇଛି । ଫଳରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ପ୍ରଚଣ୍ଡ ଖରା ଯୋଗୁଁ ଦିନ ୧୧ ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ଜିଲ୍ଲାକୁ ଘେରି ରହିଥିବା ଜଙ୍ଗଲ ସମ୍ପଦ ଦ୍ରୁତ ଅବକ୍ଷୟ ହେବା ସଙ୍ଗକୁ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା କାରଣରୁ ଜିଲ୍ଲାର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ଜିଲ୍ଲାରେ ବିକାଶ ନାଁରେ ଜଙ୍ଗଲ ସମ୍ପଦ ଧ୍ଵଂସ ହେଉଛି । ମୁଖ୍ୟତଃ ଦେବଗଡ ଜିଲ୍ଲା ଦେଇ ଅତିକ୍ରମ କରିଥିବା ୪୯ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଦେବଗଡ ଜିଲ୍ଲା ତିଲେଇବଣି ଠାରୁ ବିଞ୍ଜବାହାଲ ପର୍ଯ୍ୟନ୍ତ ୨୫,୨୮୦ ବିଭିନ୍ନ କିସମର ଗଛ କଟା ଯାଇଥିଲା । ଯାହାକି ଆଜିସୁଦ୍ଧା ଭରଣ ହୋଇ ପାରିନାହିଁ । ପ୍ରତିବର୍ଷ ବିଭିନ୍ନ କାରଣରୁ ଜଙ୍ଗଲ ସମ୍ପଦ ଯେଉଁ ପରିମାଣରେ କ୍ଷୟ ହେଉଛି ସେହି ପରିମାଣରେ ବୃକ୍ଷ ରୋପଣ ଓ ନୁତନ ଜଙ୍ଗଲ ସୃଷ୍ଟି କରାଯାଉନଥିବା କାରଣରୁ ପରିବେଶ ଅସନ୍ତୁଳନ ହେଉଛି ଓ ତାପମାତ୍ରା ବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି ପରିବେଶବିତ୍ତ ମତବ୍ୟକ୍ତ କରିଛନ୍ତି ।
ସେପଟେ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ଅଧିକାଂଶ ଜଳାଶୟ ଶୁଖିଲା ପଡ଼ିଲାଣି । ସହରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା କୂଅ, ବନ୍ଧ, ପୋଖରୀ ଓ ଝରଣା ଆଦି ଜଳାଶୟ ଶୁଖିଗଲାଣି । ବିଶେଷ କରି ଜିଲ୍ଲାରେ ଥିବା ଗୋହିରା ଓ ରେଙ୍ଗାଳି ଆଦି ଦୁଇଟି ବୃହତ୍ ଜଳଭଣ୍ଡାର ଶୁଖିଗଲାଣି । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସଙ୍ଗକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ଉତ୍କଟ ହେବାରେ ଲାଗିଛି ।
ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଏପ୍ରିଲ, ମେ ଓ ଜୁନ ମାସରେ ଅବସ୍ଥା ଅଧିକ ଜଟିଳ ହେବାର ଆଶଙ୍କକୁ ଏଡ଼ାଇ ଦିଆଯାଇନପାରେ । ତେବେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନିକ ମହଲରୁ ସତର୍କତା ମୂଳକ ପଦକ୍ଷେପ ନିଆଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
