ବଣ ଜଙ୍ଗଲ ଠାରୁ ଆରମ୍ଭ କରି ନଦୀ ଝରଣା ଓ ପୋଖରୀ ହୁଡ଼ା, ଚତୁର୍ଦ୍ଦିଗରେ ପରିବେଶର ଶୋଭା ବଢାଉଛି ଲାଲ ଟହଟହ ପଳାଶ ଫୁଲ । ବାସ ନଥାଇ ମଧ୍ୟ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଛି ଏହି ଦୁର୍ଲ୍ଲଭ ଫୁଲ ।
ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାରେ ଏବେ ଚାରିଆଡେ ପଳାଶ ଫୁଲର ସମ୍ଭାର ମେଲିଥିବା ବେଳେ, ଦର୍ଶକଙ୍କ ମନ ପୁଲ୍ଲକିତ ହୋଇଉଠିଛି । ବଣ ଜଙ୍ଗଲ ହେଉ କିମ୍ବା ରାସ୍ତାଘାଟ ସବୁଠି ପେନ୍ଥାପେନ୍ଥା ପଳାସ ଫୁଲର ଅପୂର୍ବ ଶୋଭା ବାଟୋଇ ଙ୍କୁ ଆକର୍ଷିତ କରି ନିଜ ଆଡକୁ ଟାଣି ନେଉଛି । ଦେବଗଡ଼ ଜିଲ୍ଲା ଏବଂ ଏଠିକାର ପ୍ରାକୃତିକ ପରିବେଶ ଜଣେ ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଗନ୍ତବ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷକରି ମାର୍ଚ୍ଚ ମାସରେ ଭରପୁର ପଳାଶ ଫୁଲ ଫୁଟିଥିବା ସମୟରେ ଏଠିକାର ବନଞ୍ଚଳ ଏକ ଦୃଶ୍ୟମାନ ସ୍ୱର୍ଗର ରୂପ ଧାରଣ କରିଥାଏ । ଶୀତ ଋତୁ ପରେ ବର୍ତ୍ତମାନ ଗ୍ରୀଷ୍ମ ଋତୁର ଆଗମନରେ ଏହି ପଳାସ ଫୁଲ ଖୁବ ଆକର୍ଷଣୀୟ ହୋଇ ଉଠିଥାଏ । ବାସହୀନ ହୋଇଥିଲେ ମଧ୍ୟ ଏହି ପଳାସ ଫୁଲର ଅପୂର୍ବ ସୌନ୍ଦର୍ଯ୍ୟପୂର୍ଣ୍ଣ ନାଲି ରଙ୍ଗ ବେଶ ମନଲୋଭା । ବର୍ତ୍ତମାନ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଳାସ ଫୁଲର ନିଆରା ରଙ୍ଗରେ ରଙ୍ଗାୟିତ ହୋଇ ଉଠିଛନ୍ତି କବି, ଭାବୁକ ଓ ପ୍ରକୃତିପ୍ରେମୀ । ଫେବୃଆରୀ ଓ ମାର୍ଚ୍ଚ ମାସରେ ଦେବଗଡ ଜିଲ୍ଲାର ବଣ ଜଙ୍ଗଲ ଠାରୁ ଆରମ୍ଭ କରି ଜନବସତି ପର୍ଯ୍ୟନ୍ତ ସବୁଠି ପଳାଶ ଫୁଲର ରଙ୍ଗିନ ଚମକ ଦେଖଣାହାରୀଙ୍କ ମନକୁ ଉଲ୍ଲସୀତ କରିଛି । ଏହି ଫୁଲକୁ “ବସନ୍ତର ଅଗ୍ନିକୁସୁମ” ବୋଲି ମଧ୍ୟ କୁହାଯାଏ।
ମାତ୍ର ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ନିଆଁରେ ଅନ୍ୟାନ୍ୟ ବୃକ୍ଷ ଲତା ସହିତ ବହୁସଂଖ୍ୟାରେ ପଳାସ ଗଛ ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଇଛି । କ୍ରମାଗତ ଭାବେ ଜଙ୍ଗଲରେ ନିଆଁ ଲାଗୁଥିବା କାରଣରୁ ବନାଞ୍ଚଳରେ ପଳାସ ବୃକ୍ଷ ସଂଖ୍ୟା ଉଦବେଗ ଜନକ ଭାବେ କମିବାରେ ଲାଗିଛି । ଯାହାକି ପ୍ରକୃତି ପ୍ରେମୀଙ୍କୁ ବ୍ୟଥିତ କରିଛି ।
ପଲାଶ ଗଛ କେବଳ ଏକ ଅଲଙ୍କାରିକ ବୃକ୍ଷ ନୁହେଁ, ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ଫୁଲରୁ ନିଷ୍କାଷିତ ରଙ୍ଗ ପ୍ରାଚୀନକାଳରୁ ହୋଲି ଖେଳାରେ ବ୍ୟବହୃତ ହୁଏ। ଏହି ଗଛର ଛାଲ, ଫୁଲ ଏବଂ ଗୁଟି ଆୟୁର୍ବେଦରେ ଅନେକ ରୋଗର ଉପଚାରରେ ମଧ୍ୟ ବ୍ୟବହୃତ ହୋଇଥାଏ।
ଓଡ଼ିଶାର ଗାଁ ଗଣ୍ଡାରେ ଏହି ଫୁଲକୁ ଧାର୍ମିକ କାର୍ଯ୍ୟ ଏବଂ ପୂଜା-ପାଠରେ ବ୍ୟବହାର କରାଯାଏ। ବସନ୍ତ ପଞ୍ଚମୀ, ଶ୍ରୀ ପଞ୍ଚମୀ ଏବଂ ହୋଲି ଉତ୍ସବରେ ଏହି ଫୁଲକୁ ବିଶେଷ ଭାବେ ପୂଜା ଦିଆଯାଏ । ପଳାଶ ଫୁଲ କେବଳ ମାତ୍ର ଏକ ମନଲୋଭା ଫୁଲ ନୁହେଁ, ଏହା ଗ୍ରାମ୍ୟ ଜୀବନର ଏକ ଅଂଶ ଏବଂ ଏହି ଫୁଲ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅମୂଲ୍ୟ ଉପହାର ।
ବନାଞ୍ଚଳ ତଥା ପରିବେଶର ଶୋଭା ବର୍ଦ୍ଧନ କରିବା ସହ ଦେଖଣାହାରୀଙ୍କ ମନ ମୋହୁଥିବା ଏହି ଏହି ଦୁର୍ଲ୍ଲଭ ବୃକ୍ଷର ସୁରକ୍ଷା କରାନଗଲେ ଆଗାମୀ ଦିନରେ ବୃକ୍ଷଟି ସମ୍ପୂର୍ଣ୍ଣ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି ।
