ଦେବଗଡ ଜିଲ୍ଲାରେ ପାନୀୟ ଜଳ ସଙ୍କଟକୁ ନେଇ ବିଧାନସଭାରେ ପ୍ରଶ୍ନ ରଖିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।
ଆସନ୍ତା ଗ୍ରୀଷ୍ମଋତୁ କୁ ଦୃଷ୍ଟିରେ ରଖି ଦେବଗଡ ଜିଲ୍ଲାରେ ଦେଖାଦେଇଥିବା ପାନୀୟ ଜଳ ସଙ୍କଟର ପ୍ରତିକାର କରିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ବୋଲି ଆଜି (୨୫ତାରିଖ) ବିଧାନସଭାରେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ପ୍ରଶ୍ନ କରିଛନ୍ତି ।ମାନ୍ୟବର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ପାତ୍ର । ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ଦେବଗଡ ପୌରାଞ୍ଚଳରେ ଦୈନିକ ୪ ନିୟୁତ ଲିଟର ପାନୀୟଜଳ ଆବଶ୍ୟକତା ଥିବାବେଳେ, ବର୍ତ୍ତମାନ ୨.୯୦ ନିୟୁତ ଲିଟର ପାନୀୟଜଳ ପ୍ରଧାନପାଟ ଓ କୁରୁଡ଼କୋଟ ଭୂପୃଷ୍ଟ ଉତ୍ସରୁ ଏବଂ ୬୧ ଟି ଗଭୀର ନଳକୂପରୁ ଜଳ ସଂଗ୍ରହ କରାଯାଇ ୨୨ ଟି ଭୂତଳ ଜଳଭଣ୍ଡାର (GSR) ଏବଂ ୨ ଟି ପାଣିତାଙ୍କି (ESR) ମାଧ୍ୟମରେ ଦେବଗଡ ସହରକୁ ପାନୀୟ ଜଳଯୋଗାଣ କରାଯାଉଛି । ଏଥିସହ ୨୦୪ ଗୋଟି ହସ୍ତଚାଳିତ ନଳକୂପ ସମ୍ପୂର୍ଣ କାର୍ଯ୍ୟକ୍ଷମ ଥାଇ ଦେବଗଡ ସହରକୁ ଜଳ ଯୋଗାଉ ଅଛି ।
ଆସନ୍ତା ଗ୍ରୀଷ୍ମଋତୁରେ ଜିଲ୍ଲାରେ ପାନୀୟ ଜଳ ସଂକଟର ପ୍ରତିକାର ପାଇଁ ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର ଦ୍ଵାରା ଜଳକ୍ଳିଷ୍ଟ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଅକ୍ଷମ ହୋଇ ପଡିଥିବା ପାଇପ ଲାଇନ୍ ଓ ହସ୍ତଚଳିତ ନଳକୂପ ଗୁଡ଼ିକର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯିବାକୁ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
