ପ୍ରକଳ୍ପ ସରିଛି, ହେଲେ ଏବେବି ଅସମାହିତ ହୋଇ ରହିଯାଇଛି ବିସ୍ଥାପିତଙ୍କ ସମସ୍ୟା । ଆଜକୁ ଦୀର୍ଘ ୪୫ ବର୍ଷ ହେଲା ନ୍ୟାୟ ଅପୋକ୍ଷାରେ ଚାତକ ଭଳି ଅନାଇଁ ରହିଛନ୍ତି ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତ ହୋଇଥିବା ଶହଶହ ପରିବାର ।
ସୂଚନା ଅନୁଯାୟୀ, ୧୯୮୦ ମସିହାରେ ରେଙ୍ଗାଳି ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ଅତି ନୈରାଶ୍ୟଜନକ ଭାବେ କ୍ଷତିପୂରଣ ପ୍ରଦାନ କରାଯାଇ ସେମାନଙ୍କୁ ନିଜନିଜ ଭିତାମାଟିରୁ ଅଲଗା କରାଯାଇଥିଲା । ସରକାରଙ୍କ ନୈରାଶ୍ୟଜନକ କ୍ଷତିପୂରଣକୁ ବିସ୍ଥାପିତ ପରିବାର ଦୀର୍ଘ ଦଶନ୍ଧି ହେବ ବିରୋଧ କରି ଆସୁଛନ୍ତି । କିଛି ସ୍ୱଚ୍ଛଳ ବର୍ଗର ପ୍ରଜା ଏସଂକ୍ରାନ୍ତରେ କୋର୍ଟରେ କେସ କରି ବର୍ଦ୍ଧିତ ହାରରେ କ୍ଷତିପୂରଣ ପାଇ ଆସୁଛନ୍ତି । ମାତ୍ର ଗରିବ ଶ୍ରେଣୀ ପ୍ରଜା କୋର୍ଟର ଆଶ୍ରୟ ନେଇନପାରି ନ୍ୟାର୍ଯ୍ୟ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଗତ ୯/୭/୨୦୧୦ ମସିହାରେ ରାଜ୍ୟସରକାରଙ୍କ ଜଳସଂପଦ,ରାଜସ୍ୱ ,ଅର୍ଥ ଓ ଆଇନ ପ୍ରମୁଖ ୪ଟି ବିଭାଗର ସଚିବକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକ ହାଇଲେବୁଲ କମିଟି ବୈଠକ କରିଥିଲେ। ଏହି ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଏକର ପିଛା ୫୦,୦୦୦ ଟଙ୍କା ଅନୁକମ୍ଫାମୂଳକ କ୍ଷତିପୂରଣ ଦେବାପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଏଥିପାଇଁ ମୋଟ ୧୫୨କୋଟି ୨୮ ଲକ୍ଷ ୬୦ ହଜାର ୫୦୦ଟଙ୍କାର ବ୍ୟୟ ଅଟକଳ ମଧ୍ୟ କରାଯାଇଥିଲା। ମାତ୍ର ଏହି ବୈଠକ ହେବାର ଇତିମଧ୍ୟରେ ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାର ହାଇଲେବୁଲ କମିଟିର ସୁପାରିଶ ଅନୁଯାୟୀ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ପାରିନାହାଁନ୍ତି । ଫଳରେ ବହୁ ସଂଖ୍ୟାରେ ଗରିବ ବିସ୍ଥାପିତ ପରିବାର ସେମାନଙ୍କ ନ୍ୟାର୍ଯ୍ୟ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଦେବଗଡ ସ୍ଥିତ ଜୋନ କାର୍ଯ୍ୟାଳୟରେ ଥଇଥାନ ଓ କ୍ଷତିପୂରଣ ସଂକ୍ରାନ୍ତୀୟ ଶତାଧିକ କେସ ବିଚାର ନହୋଇ ଦୀର୍ଘବର୍ଷ ହେଲା ପଡିରହିଥିବା ବେଳେ, ଏଠାରେ ବିଗତ କିଛିବର୍ଷ ହେଲା ସ୍ଥାୟୀ ଜୋନ ଅଫିସର ଓ ଆବଶ୍ୟକ କର୍ମଚାରୀ ନାହାନ୍ତି । ଫଳରେ ଏହି କାର୍ଯ୍ୟାଳୟ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି । ଶହଶହ କେସ ଗୁଡ଼ିକ ଦୀର୍ଘ ସମୟ ହେଲା ଫଇସଲା ନହୋଇ ପଡ଼ିରହିଛି । ରେଙ୍ଗାଳି ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଆଜକୁ ଦୀର୍ଘ ୪୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଂଶିକ ବୁଡି ଗ୍ରାମକୁ ସଂପୂର୍ଣ୍ଣ ବୁଡି ଘୋଷଣା କରାଯାଇନାହିଁ କିମ୍ବା ପୁନଃବସତି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ । ବିସ୍ଥାପିତ ପରିବାରଙ୍କୁ ସାଢେ଼ ଛଅ ଏକର ଲେଖାଏଁ ଲିଜ ଜମି ପ୍ରଦାନ କରାଯାଇଥିବା ବେଳେ, ବହୁ ସଂଖ୍ୟାରେ ଲିଜଧାରି ପ୍ରଜାଙ୍କୁ ଏଯାଏଁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇନାହିଁ । ଫଳରେ ସ୍ଥାୟୀ ପଟ୍ଟା ନପାଇ ବିସ୍ଥାପିତ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୀର୍ଘ ଦଶନ୍ଧି ହେଲା ଏଭଳି ଅନେକ ସମସ୍ୟାରେ ଦିନ କାଟୁଛନ୍ତି ରେଙ୍ଗାଳି ବିସ୍ଥାପିତ ପରିବାର ।
ରେଙ୍ଗାଳି ବିସ୍ଥାପିତ ପରିବାରଙ୍କ ସମସ୍ୟାର ସମାଧାନ ତଥା କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ରେଙ୍ଗାଳି ନଦୀବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ଏସଂକ୍ରାନ୍ତରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରାଯାଉଛି । ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହେଲେ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା ପ୍ରତି ସରକାରଙ୍କ ତିଳେହେଲେ ବି ଦରଦ ଥିବାଭଳି ମନେ ହେଉନାହିଁ ।
