ବଣ ମୂଳକରେ ବସବାସ କରୁଥିବା ଆଦିବାସୀ ଓ ବାନବାସୀଙ୍କୁ ରୋଜଗାର ଯୋଗାଇଛି ମହୁଲ ଫୁଲ । ରାତି ପାହିଲେ ମହୁଲ ଫୁଲ ସଂଗ୍ରହ କରିବାକୁ ଗଛମୂଳେ ଜମୁଛି ଲୋକଙ୍କ ଭିଡ଼ । ମହୁଲ ଫୁଲ ସଂଗ୍ରହ ଓ ବିକ୍ରୟ କରି ଦୁଇପାଇସା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାର ଅଧିକାଂଶ ବନବାସୀ ପରିବାର ।
ବଣ ଜଙ୍ଗଲରେ ପରିପୂର୍ଣ୍ଣ ଦେବଗଡ ଜିଲ୍ଲାର ପ୍ରାୟ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳ ଓ ବଣ ମୂଳକରେ ବସବାସ କରିଥାନ୍ତି । ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଓ ସେସବୁ ବିକ୍ରୟ କରି ଦୁଇପାଇସା ରୋଜଗାର କରିଥାନ୍ତି ଲୋକେ । ଏହି ବନ୍ୟ ଜାତ ଦ୍ରବ୍ୟ ମଧ୍ୟରେ ମହୁଲ ଫୁଲର ସର୍ବାଧିକ ଚାହିଦା ରହିଛି । ସେହି ଦୃଷ୍ଟିରୁ ପ୍ରତିବର୍ଷ ବିଶେଷକରି ଫଗୁଣ ଓ ଚୈତ୍ର ମାସରେ ମହୁଲ ଫୁଲ ସଂଗ୍ରହ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ବଣ ମୁଳକରେ ବସବାସ କରୁଥିବା ଲୋକେ । ଚଳିତ ବର୍ଷ ମଧ୍ୟ ବସନ୍ତ ଋତୁର ଆଗମନ ସହିତ ମହୁଲ ଗଛ ଗୁଡ଼ିକରେ ଫୁଲ ଦେଖିବାକୁ ମିଳିଛି । ମହୁଲ ଫୁଲର ବାସ୍ନାରେ ଚତୁର୍ଦ୍ଦିଗ ମହକି ଉଠୁଛି । ପୁରୁଷ ଓ ମହିଳା ମାନେ ଭୋର ସକାଳୁ ଜଙ୍ଗଲରେ ଥିବା ମହୁଲ ଗଛ ମୂଳକୁ ପହଞ୍ଚି ଦିନକୁ ପ୍ରାୟ ୫ ରୁ ୧୦ କିଲୋ ପର୍ଯ୍ୟନ୍ତ ମହୁଲ ଫୁଲ ସଂଗ୍ରହ କରୁଛନ୍ତି । ମହୁଲ ଫୁଲକୁ ଘରକୁ ଆଣି ୪ ରୁ ୫ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ରଖିଥାନ୍ତି । ଖରାରେ ଶୁଖିଲା ପରେ ମହୁଲ ଫୁଲ ବିକ୍ରୟ ଉପଯୋଗୀ ହୋଇଥାଏ । ଏହାକୁ ବେପାରୀଙ୍କ ହାତରେ ବିକ୍ରିକରି ଦୁଇପଇସା ରୋଜଗାର କରୁଛନ୍ତି ଲୋକେ ।
ତେବେ ପରିଶ୍ରମ ଅନୁଯାୟୀ ଲୋକଙ୍କୁ ମହୁଲର ଉଚିତ୍ ମୂଲ୍ୟ ମିଳି ପାରୁନାହିଁ । ଦୁଃଖର ବିଷୟ ଯେ, ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଯଥେଷ୍ଟ କମ୍ ମୂଲ୍ୟରେ ଅର୍ଥାତ୍ କିଲୋ ପ୍ରତି ୧୫/୨୦ ଟଙ୍କା ମୂଲ୍ୟରେ ବେପାରୀ ଓ ଦଲାଲକୁ ବିକ୍ରିକରି ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଆସୁଛନ୍ତି । ଫଳରେ ସଂଗ୍ରହକାରୀଙ୍କୁ କ୍ଷତି ସହିବାକୁ ପଡୁଛି ।
ଗୋଟିଏ ପକ୍ଷରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଗତ କିଛିବର୍ଷ ହେଲା ଗଛରେ ଆଶାନୁରୂପ ମହୁଲଫୁଲ ଆସୁନଥିବା ବେଳେ , ବଣ ଜଙ୍ଗଲ ବୁଲିବୁଲି ମହୁଲ ସଂଗ୍ରହ କରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ସେପଟେ ପୁଣି ଦଲାଲ ଓ ମହାଜନ ପାଖରୁ ମହୁଲଫୁଲର ଉଚିତ୍ ମୂଲ୍ୟ ମିଳୁନଥିବା ସଂଗ୍ରହକାରୀଙ୍କୁ ନିରାଶ କରିଛି ।
