Explore

Search
Close this search box.

Search

May 14, 2025 2:47 pm

ଆସନ୍ତା ୧୧ ତାରିଖ ଦିନ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ କାର୍ଡ ।

ଆସନ୍ତା ୧୧ ତାରିଖ ଦିନ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଏଥର ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ କାର୍ଡ଼ ମିଳିଥିଲା । ମାତ୍ର ନୂଆ ଯୋଜନାରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ଏହି ଯୋଜନାରେ ପୂର୍ବରୁ କେବଳ ୧୬ଟି ରାଜ୍ୟର ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଥିଲା । ଏବେ ଦେଶର ମୋଟ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ଉପଲବ୍ଧ ହେବ ।
‘ବୟୋ ବନ୍ଦନା’ ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହେବ ।
ହିତାଧିକାରୀ ମାନଙ୍କ ପାଇଁ E-KYC ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ ନକରିବା ଫଳରେ ୩୦ ହଜାର କୋଟି ଟଙ୍କା କ୍ଷତି ହୋଇଛି । ଏହି ଯୋଜନାରେ ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି । ପ୍ରଚାର ପ୍ରସାର ପାଇଁ ମଧ୍ୟ ରାଜ୍ୟସ୍ତରୀୟ ଉଦଘାଟନ ଦିନ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଡ ବଣ୍ଟନ କରାଯିବା ପାଇଁ ଧାର୍ଯ୍ୟ ହୋଇଛି । ଏଥିରେ ପ୍ରାୟ ୧୦୦୦ ଲୋକଙ୍କୁ କାର୍ଡ ବଣ୍ଟନ କରାଯିବ ।

ଆଗାମୀ ୨ ମାସ ମଧ୍ୟରେ ନୂଆଁ ଆୟୁଷ୍ମାନ କାର୍ଡ ସମସ୍ତଙ୍କ ପାଖରେ ପହଞ୍ଚିବ । ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ୭ ଦିନ ପର୍ଯ୍ୟନ୍ତ ସଚେତନତା ରଥ ବୁଲିବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer