ଓଡ଼ିଶା ସରକାରଙ୍କ ଉଦ୍ୟମରେ ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଶା ପକ୍ଷ’ ର ଆଜି ୧୦ତମ ଦିନ । ଏହି ଦିନଟି ଜିଲ୍ଲାରେ ବିଶେଷ ଭାବେ ସ୍ଥାନୀୟ ଲୋକକଳା ଓ ସଂସ୍କୃତିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଇଛି ।
ଏହି ଅବସରରେ ଆଜି (ଗୁରୁବାର) ଦେବଗଡ ଜିଲ୍ଲା ପ୍ରଶାସନ ତରଫରୁ ତିଲେଇବଣି ବ୍ଲକ ଦୁଧିଆନାଳି ପଞ୍ଚାୟତ ଅନ୍ତର୍ଗତ ଭେରୁବଣି ଗ୍ରାମରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ନାଟକ, ଗୀତ-ସଙ୍ଗୀତ, ନୃତ୍ୟ ଓ ପରମ୍ପରାଗତ କଳା ଅଭିନୟର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ ଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନେକ ସ୍ଥାନୀୟ କଳାକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାଙ୍କର କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଓଡ଼ିଆ ପକ୍ଷର ଏହି ଦିନଟି ସ୍ଥାନୀୟ ସଂସ୍କୃତିକ ମୂଲ୍ୟବୋଧକୁ ବଢ଼ାଇବା ସହ ନୂତନ ପିଢ଼ିକୁ ଓଡ଼ିଆ ପରମ୍ପରା, ଚିତ୍ରକଳା, ନୃତ୍ୟ, ଓ ଗୀତ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରହିଥିଲା ।
“ଦେବଗଡ଼ ଜିଲ୍ଲାର ସଂସ୍କୃତି ଓ ଲୋକ କଳାର ଏକ ବୃହତ୍ ଐତିହ୍ୟ ରହିଛି। ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସେହି ଐତିହ୍ୟକୁ ସମ୍ମାନ ଦେଉଛୁ ଓ ସେଥିରେ ଲିପ୍ତ ଥିବା ସ୍ଥାନୀୟ କଳାକାରଙ୍କୁ ଉତ୍ସାହିତ କରାଯିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି” ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବର୍ଗର ସ୍ଥାନୀୟ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
