ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସି ଆଜି ଜଣେ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ରିଆମାଳ ବ୍ଲକର କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମର ପ୍ରମୋଦ ନାଏକ ପୂର୍ବରୁ ପଞ୍ଚାୟତ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ କୌଣସି କାରଣରୁ ୨୦୧୪ରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ତାଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ କରିବା ପରେ ବି ବିଫଳ ହୋଇଥିଲେ। ଆଜି ପ୍ରଥମେ ଶ୍ରୀ ନାଏକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଅଭିଯୋଗ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଏସଂପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପରାମର୍ଶ ଦେଇଥିଲେ।ଏହାପରେ ଶ୍ରୀ ନାଏକ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।
ତେବେ ଅଭିଯୋଗକାରୀଙ୍କୁ ୨୦୧୪ ମସିହାରେ କାହିଁକି କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ? ଓ ତାଙ୍କୁ ପୁନଃ ନିଯୁକ୍ତି ପାଇଁ ପ୍ରଶାସନ ଏଯାଏଁ କାହିଁକି କୌଣସି ପଦକ୍ଷେପ ନେଉନାହିଁ ? ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା, ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
