ଦେବଗଡ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ତଥା ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ଆଡିନିଆଁ ବର୍ଷା ଓ କୁଆପଥର ମାଡ ଯୋଗୁଁ ଉଜୁଡିଯାଉଛି ଲିଚୁ ଚାଷ, ଚିନ୍ତାରେ ଚାଷୀ ।
ଦେବଗଡ ଜିଲ୍ଲାର ମୃତ୍ତିକା, ଜଳବାୟୁ ଓ ପରିବେଶ ବିଶେଷକରି ଲିଚୁଚାଷ ପାଇଁ ବେସ୍ ଉପଯୋଗୀ । ସେଥିପାଇଁ ଜିଲ୍ଲାର ଅଧିକାଂଶ ଚାଷୀ ଲିଚୁଚାଷ ପାଇଁ ମନ ବଳାଇଥାନ୍ତି । ଜିଲ୍ଲାରେ ଧାନଚାଷ ପରେ ଲିଚୁଚାଷ କରି ଚାଷୀ ବେସ୍ ଲାଭବାନ ହୁଅନ୍ତି । ମାତ୍ର ବିଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜିଲ୍ଲାରେ ଲିଚୁଚାଷ ବାହୁମାତ୍ରାରେ ପ୍ରଭାବିତ ହୋଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ପ୍ରାୟ ୬୦୦ ହେକ୍ଟର ଜମିରେ ଲିଚୁ ଚାଷ କରାଯାଇଛି। ଜିଲ୍ଲାର କଣ୍ଟାପାଲି,ରମ୍ଭେଇ,କଲା, ସଇଡା,କଲଣ୍ଡା, ଟାଇଁସର ଆଦି ପଞ୍ଚାୟତ ତଥା ବିଭିନ୍ନ ଗ୍ରାମରେ ଚାଷୀମାନେ ଲିଚୁଚାଷ କରିଥାନ୍ତି।
ଚଳିତବର୍ଷ ଅନାବୃଷ୍ଟି, ଅସମୟରେ ବର୍ଷା, ଏବଂ ଅତ୍ୟଧିକ ତାପମାନ ଫଳରେ ଲିଚୁ ଗଛରେ ଭଲ ଫଳ ଆସିପାରି ନାହିଁ । ଯାହାବି ଅଳ୍ପ କିଛିମାତ୍ରାରେ ଫଳ ଆସିଥିଲା କାଳବୈଶାଖୀ ବର୍ଷା ଓ କୁଆପଥର ମାଡ ଯୋଗୁଁ ତାହା ବି ନଷ୍ଟ ହୋଇଗଲା। ଚଳିତ ବର୍ଷ ଏପ୍ରିଲ ମାସ ପହିଲାରୁ ଜିଲ୍ଲାରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ସଙ୍ଗକୁ ଆଦିନିଆଁ ବର୍ଷା ଓ କୁଆପଥର ମାଡ ଉଜାଡି ଦେଇଛି ଲିଚୁଚାଷ।କେଉଁଠି ଫଳ ବଢିପାରିନାହିଁ ତ, କେଉଠି ପବନ ଓ କୁଆପଥର ଯୋଗୁଁ ଫଳ ସବୁ ଝଡିଯାଇଛି। ଫଳରେ ଲିଚୁଚାଷକୁ ମୁଖ୍ୟ ଜୀବିକା ଭାବରେ ଆଦରି ନେଇଥିବା ଜିଲ୍ଲାର ଶତାଧିକ ଲିଚୁ ଚାଷୀ ଏବେ ଚିନ୍ତାରେ । ବର୍ତ୍ତମାନ ବଜାରରେ ଲିଚୁ ବିକ୍ରି ଆରମ୍ଭ ହେବା କଥା କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଲିଚୁ ବ୍ରିକ୍ରି ଆରମ୍ଭ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ପ୍ରକୃତି ଦାଉ ସାଧିଥିବା ବେଳେ ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଚାଷୀ ମାନଙ୍କ କହିବାକଥା ହେଲା, ପୂର୍ବରୁ ଯେଉଁ ଗଛରୁ ୨୦/୩୦ କିଲୋ ପର୍ଯ୍ୟନ୍ତ ଲିଚୁ ଉତ୍ପାଦନ ହେଉଥିଲା ସେହି ଗଛରେ ବର୍ତ୍ତମାନ ଲିଚୁ ଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ଅନେକ ଚାଷୀ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଲିଚୁ ଚାଷରୁ ମୁହଁ ଫେରାଇବାକୁ ବିଚାର କରୁଛନ୍ତି । କୃଷି ବିଶେଷଜ୍ଞମାନେ କହିଁଛନ୍ତିଯେ, ଲିଚୁ ଚାଷ ପାଇଁ ନିର୍ଦ୍ଧିଷ୍ଟ ଜଳବାୟୁ ଦରକାର। ଅଧିକ ତାପମାନ ଓ ଅସମୟରେ ବର୍ଷା ଲିଚୁ ଚାଷ ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନଙ୍କୁ ସମୟୋପଯୁକ୍ତ ନୂତନ ପ୍ରଯୁକ୍ତି ବ୍ୟବହାର କରିବାର ଆବଶ୍ୟକତା ରହିଛି ।
ଦେବଗଡ଼ ଜିଲ୍ଲା ଲିଚୁ ଉତ୍ପାଦନରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି। ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା କୃଷିବିଭାଗ ପକ୍ଷରୁ ଚାଷୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ସ୍ବତନ୍ତ୍ର ପ୍ରଶିକ୍ଷଣ, ତାଲିମ ଓ ସହଯୋଗ ଯୋଗାଇ ଦିଆନଯାଏ ଆଗାମୀ ବର୍ଷରେ ଜିଲ୍ଲାରୁ ଲିଚୁଚାଷ ସମ୍ପୂର୍ଣ୍ଣ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି ।
