ପହଲଗାମ ଆକ୍ରମଣକୁ ନେଇ ଭାରତର ‘ଅପରେସନ ସିନ୍ଦୂର’ ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଲାଗି ରହିଥିବାବେଳେ ଏପଟେ ସୋସିଆଲ ମିଡିଆ ଯେପରିକି ଫେସବୁକ୍, ଇନଷ୍ଟାଗ୍ରାମ ଓ Xରେ ମିଥ୍ୟା ଓ ଭୁଲ ସୂଚନା ପ୍ରସାରିତ ହେଉଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଏପରି ଖବର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ନେଟିଜେନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଗଣମାଧ୍ୟମ ଚ୍ୟାନେଲ, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧିର ଲାଇଭ୍ କଭରେଜ୍ କିମ୍ବା ରିଅଲ୍-ଟାଇମ୍ ରିପୋର୍ଟିଂ ଏଡାଇବାକୁ ଅନୁରୋଧ କରିଛି। କାର୍ଗିଲ ଯୁଦ୍ଧ, ୨୬/୧୧ ଆକ୍ରମଣ ଏବଂ କାନ୍ଦାହାର ଅପହରଣ ଭଳି ଅତୀତର ଘଟଣାଗୁଡ଼ିକୁ ଉଲ୍ଲେଖ କରି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯେ ଏପରି ସମ୍ବେଦନଶୀଳ ସୂଚନା ପ୍ରକାଶ କରିବା ଦ୍ୱାରା କାର୍ଯ୍ୟରେ ବିପଦ ଆସିପାରେ ଏବଂ ଜୀବନ ବିପଦରେ ପଡ଼ିପାରେ ।
ମିଥ୍ୟା ଖବର ଲୋକଙ୍କୁ ଭ୍ରମିତ କରୁଛି କି ନାହିଁ ତାହା ବିଚାର ନକରି ବିସ୍ତାର କରାଯାଏ । ଅନ୍ୟପଟେ, ଭୁଲ ସୂଚନା ଜାଣିଶୁଣି ଭ୍ରମାତ୍ମକ କିମ୍ବା ପ୍ରତାରଣାମୂଳକ ପ୍ରଚାର ଭାବରେ ବ୍ୟବହୃତ ହୁଏ । ଦେଶ ଭିତରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ପରି ଏହାର ଉଦ୍ଦେଶ୍ୟ ରହିଥାଏ । ଏପରି ସ୍ଥିତିରେ ସରକାରୀ ତଥ୍ୟ ବ୍ୟତୀତ ଅନ୍ୟ କୌଣସି ସୂଚନା ଉପରେ ବିଶ୍ବାସ ନ କରିବାକୁ ନେଟିଜେନ ମାନଙ୍କୁ ଉଭୟ ସରକାର ଓ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।
ବିଶେଷଜ୍ଞ ଙ୍କ ପରାମର୍ଶ :
ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା ପରିସ୍ଥିତି ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏପରି ମିଥ୍ୟା ଖବର ବୃଦ୍ଧି ପାଇବା ଉପରେ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରି ମତ ଦେଇଛନ୍ତି ଯେ ନାଗରିକମାନେ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ସମୟରେ ବହୁତ ସତର୍କ ରହିବା ଉଚିତ ଏବଂ ବିଷୟବସ୍ତୁ ସେୟାର କରିବାରେ ସଂଯମତା ବଜାୟ ରଖିବା ଉଚିତ । ସେମାନେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ନାଗରିକମାନେ କୌଣସି ଖବର ସେୟାର କରିବା ପୂର୍ବରୁ ଯାଞ୍ଚ କରିବା ଉଚିତ, ସୁରକ୍ଷା ସହିତ ଜଡିତ ଯେକୌଣସି ସମ୍ବେଦନଶୀଳ ଦିଗ ଥିବା ଭିଡିଓଗୁଡ଼ିକୁ ଏଡାଇ ଦିଆଯିବା ଉଚିତ।
