ସୃଷ୍ଟିରୁ ବିଲୁପ୍ତ ପ୍ରାୟ ବାଇ ଚଢେଇ । ଆଉ ଆଗଭଳି ଶୁଣିବାକୁ ମିଳୁନି ବାଇଚଢେଇର କିଚିରି ମିଚିରି କୋଲାରବ କିମ୍ବା ଦେଖିବାକୁ ମିଳୁନି ତାଳ ଗଛରେ ଦୋହଲୁ ଥିବା ବସା ।
‘ବାଇଚଢେଇ’ ପ୍ରକୃତିର ଏକ ସୁନ୍ଦର ଉପହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ପକ୍ଷୀଟି ଯେତିକି ସୁନ୍ଦର ତାହାର ବସା ମଧ୍ୟ ସେତିକି ସୁନ୍ଦର ଓ ଆକର୍ଷଣୀୟ । ତାଳ ଗଛର ପତ୍ରରେ ଝୁଲୁଥିବା ବାଇ ଚଢେଇର ସୁନ୍ଦର ବସାକୁ ଦେଖିଲେ କିଛି କ୍ଷଣ ପାଇଁ ମନ ବିମୋହିତ ହୋଇଯାଏ । ଯାହା ମନୁଷ୍ୟକୁ ଶିକ୍ଷା ଦିଏ ଜୀବନରେ ଯେତେ ଝଡ ବତାସ ଆସିଲେ ମଧ୍ୟ କିଭଳି ସେଥିରୁ ବଞ୍ଚିବା । ଏହି ସୁନ୍ଦର ପକ୍ଷୀକୁ ନେଇ ରହିଛି ଅନେକ କାହାଣୀ ଓ କବିତା । ମାତ୍ର ଆଧୁନିକ ଦୁନିଆଁର ଚାକଚକ୍ୟ ଓ ମଣିଷର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ବିଲୁପ୍ତ ହେବାକୁ ବସିଛି । ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ । ଲାଗୁଛି ସତେ ଯେମିତି ଆଗମୀ ପିଢି ଏହି କୁନି ଚଢେଇର ସଂଘର୍ଷ ଭରା କାହାଣୀ କେବଳ ବହିରେ ପଢିବେ, କିନ୍ତୁ ତାକୁ ଦେଖିବାକୁ ପାଇବେନି । ପରିବେଶ ଓ ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁଁ ଏପରି ସ୍ଥିତି ଉପୁଜୁଥିବା ମତ ଦେଇଛନ୍ତି ପରିବେଶବିତ୍ତ।
ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାରେ ମଧ୍ୟ ଏବେ କାଁ ଭାଁ ଦେଖିବାକୁ ମିଳୁଛି ବାଇଚଢେଇ ବସା । କିନ୍ତୁ ଦିନକୁ ଦିନ ଏହି ଚଢେଇ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି । କିଛି ଦଶନ୍ଧି ପୂର୍ବରୁ ଗାଁ ଗହଳିରେ ଏହି ବାଇ ଚଢେଇ ବହୁଳ ଭାବରେ ଦେଖିବାକୁ ମିଳୁଥିବା ବେଳେ, ବର୍ତ୍ତମାନ ଏହି ସୁନ୍ଦର ପକ୍ଷୀଟି ବିରଳ ହେବାକୁ ବସିଛି । ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଜିଲ୍ଲାର ପରିବେଷବିତ୍ତ ଓ ପ୍ରକୃତି ପ୍ରେମୀ ।
ଗାଁ ନିକଟସ୍ଥ ତାଳଗଛ ଆଉ ଖଜୁରୀ ଗଛକୁ ସୁରକ୍ଷିତ ମଣି ଏହି ପକ୍ଷୀଟି ତାର ବସା ବାନ୍ଧିଥାଏ । ବର୍ଷା ଆଗମନ ପୂର୍ବରୁ ବାଇ ଚଢେଇ ଗଛରେ ବସା ବନ୍ଧୁଥିବା ବେଳେ, ଏହା ବର୍ଷା ଆଗମନର ସନ୍ଦେଶ ଦେଇଥାଏ ଚାଷୀ କୂଳକୁ । ବାଇଚଢେଇ ସାଜାଡୁ ଥିବା ବସାକୁ ଦେଖି ଚାଷୀ ବର୍ଷା ଆଗମନର ସଙ୍କେତ ପାଇ ଚାଷ କାର୍ଯ୍ୟ ଆଗକୁ ବଢ଼ାଇଥାନ୍ତି ଚାଷୀକୁଳ ।
ବିଡ଼ମ୍ବନାର ବିଷୟ ହେଲା, ବଦଳୁଥିବା ଦୁନିଆ ସହ ତାଳ ଦେଇ ଆମ ସଭ୍ୟତା ବଦଳୁଛି । ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ବନ୍ୟଜନ୍ତୁଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ଜୀବ ବର୍ତ୍ତମାନ ବିପଦରେ ପଡିଛନ୍ତି । ଆଉ ତାହାରି ଭିତରେ ହଜିଯିବାକୁ ବସିଛି ପ୍ରକୃତିର ଏହି ସୁନ୍ଦର ଜୀବ ବାଇଚଢ଼େଇ । ଯେଉଁ ବାଇଚଢେଇର କିଚିରିମିଚିରି ଶବ୍ଦରେ ଫାଟିପଡୁଥିଲା ପରିବେଶ ତାହା ଏବେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଗାଁ ଗଣ୍ଡାରେ ଦୂର ତାଳବଣରେ ଆଉ ଦିଶୁନାହିଁ ବାଇଚଢ଼େଇ ର ବସା । ବର୍ତ୍ତମାନର ପରିସ୍ଥିତି ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା । ଯେଉଁ ବାଇଚଢ଼େଇ ଠାରୁ ଶିଖୁବାକୁ ମିଳିଥାଏ ତାର କାରିଗରୀ ଆଉ ଯୌଥ ପରିବାରର ଚଳଣି ସହ ଝଡ଼ବତାସରେ ଦୃଢ ଭଳି ବଞ୍ଚି ରହିବାର ବିରଳ ଶିକ୍ଷା ।
ସାରା ବିଶ୍ଵ ଆଜି ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଆଗକୁ ପାଦ ବଢ଼ାଉଛି । ବିଶେଷ କରି ଯୋଗାଯୋଗ କ୍ଷେତ୍ରରେ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମତୁଲ ହେବା ପାଇଁ ଆମେ ଏବେ ପ୍ରତିଯୋଗିତାର ଶୀର୍ଷରେ । ଯୋଗାଯୋଗ କ୍ଷେତ୍ରରେ ନୂଆ ପିଢ଼ିଙ୍କ ପାଇଁ ନୂତନ ଜ୍ଞାନକୌଶଳ ଉଦ୍ଭାବନ ଏହି କୁନି ବାଇଚଢ଼େଇ ପାଇଁ କାଳ ସାଜିଛି । ଯୋଗାଯୋଗ କ୍ଷେତ୍ରରେ ଆଜି ଆମେ 5G କୁ ବ୍ୟବହାର କରୁଛେ ସତ କିନ୍ତୁ ଏହାର ବିକିରଣ ଦ୍ୱାରା ଏହି ଛୋଟ ଜୀବ ଏଵେ ସେମାନଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏକ ପ୍ରକାର ସଂଘର୍ଷ କରୁଛନ୍ତି । ସେହିଭଳି ଦ୍ରୁତ ଶିଳ୍ପାୟନ , ଯୋଗାଯୋଗ କ୍ଷେତ୍ରରେ ଅଭିବୃଦ୍ଧି , ନୂତନ ଜ୍ଞାନକୌଶଳର କ୍ଷମତା ଠାରୁ ଅଧିକ ବ୍ୟବହାର ସତେ ଯେମିତି ଦାଉ ସାଜିଛି ପ୍ରକୃତିର ଏକ ସୁନ୍ଦର ସୃଷ୍ଟି ବାଇଚଢ଼େଇ ଉପରେ ।
ତେବ ବାଇ ଚଢ଼େଇର ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ ଓ ସାଧାରଣ ଲୋକେ ଯତ୍ନଶୀଳ ହେଲେ ଆଗପାରି ପୁଣି ଶୁଭିପାରାନ୍ତ ବାଇ ଚଢ଼େଇର ସେଇ କିଚିରି ମିଚିରି ଶବ୍ଦ ଓ ଚଳଚଞ୍ଚଳ ହୋଇ ଉଠନ୍ତା ଗାଁ ନିକଟ ତାଳବଣ।
