ରେଙ୍ଗାଳି ଜଳଭଣ୍ଡାରରେ ଡଙ୍ଗାବୁଡି ଗୋଟିଏ ଧୀବର ପରିବାରର ଦୁଇ ଶିଶୁପୁତ୍ର ମୃତ, ମା ନିଖୋଜ । ଅଳ୍ପକେ ବାର୍ତ୍ତିଲେ ପିତା । ଏମିତି ମର୍ମନ୍ତୁଦ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଚୂଆଖୋଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାରରେ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚୁଆଖୋଳ ଗ୍ରାମର ବୁଲୁ ପେଣ୍ଠେଇ ତାଙ୍କ ସ୍ତ୍ରୀ ଓ ଦୁଇ ଶିଶୁପୁତ୍ର ଙ୍କୁ ନେଇ ରେଙ୍ଗାଳି ଜଳଭଣ୍ଡାର କୁ ମାଛ ମାରିବାକୁ ଯାଇଥିଲେ । ରାତିରେ ଜଳଭଣ୍ଡାର ତଟକୁ ହାତୀପଲ ଆସିଥିବାର ଜାଣି ନିଜ ଜୀବନ ବଞ୍ଚାଇବାକୁ ଯାଇ ଏକ ମାଛମରା ଡଙ୍ଗାରେ ନିଜ ସ୍ତ୍ରୀ ଓ ଦୁଇ ଶିଶୁପୁତ୍ରକୁ ଧରି ସୁରକ୍ଷିତ ସ୍ଥାନକୁ ଯାଉଥିଲେ । ହେଲେ ଜଳଭଣ୍ଡାରରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ବୁଲୁ ପେଣ୍ଠେଇ କୌଣସି ମତ୍ତେ ପାଣିରେ ପହଁରି ନିଜ ଜୀବନ ବଞ୍ଚାଇଥିଲେ । ମାତ୍ର ତାଙ୍କର ଦୁଇ ଶିଶୁପୁତ୍ର ଓ ସ୍ତ୍ରୀ କୁଆଡେ ନିଖୋଜ ହୋଇ ଯାଇଥିଲେ । ଆଜି ଭୋର୍ ସକାଳୁ ଖୋଜାଖୋଜି କରିବା ପରେ ଜଳଭଣ୍ଡାରରୁ ଦୁଇ ଶିଶୁପୁତ୍ର ଆୟୁଷ ପେଣ୍ଠେଇ (୫ ବର୍ଷ) ଓ ରିଆନ୍ସ ପେଣ୍ଠେଇ (୩ ବର୍ଷ) ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ସ୍ତ୍ରୀ ଜ୍ୟୋସ୍ନା ପେଣ୍ଠେଇ (୨୫) ଜଳଭଣ୍ଡାରରେ ନିଖୋଜ ଅଛନ୍ତି ।
ଘଟଣା ସଂପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
