Explore

Search
Close this search box.

Search

May 31, 2025 12:01 pm

ନାଳ ସାଜିଛି କାଳ : ଦୀର୍ଘ ଦଶନ୍ଧି ହେଲା ଯାତାୟତରେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।

ନାଳ ସାଜିଛି କାଳ । ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ । ବର୍ଷେ ନୁହଁ କି ଦୁଇବର୍ଷ, ଦୀର୍ଘ ଦଶନ୍ଧି ହେବ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ହେଁ, ନା ଏଥିପ୍ରତି ଦୃଷ୍ଟି ଅଛି ସ୍ଥାନୀୟ ପ୍ରଶାସନର, ନା ଅଛି ସରକାରଙ୍କର ।

ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର କାଳିଆକଟା ଓ ଚଡ଼କମରା ଗାଁ । ଏହି ଦୁଇଟି ଗାଁରେ ବସବାସ କରନ୍ତି ପ୍ରାୟ ୪୦୦ ରୁ ଉର୍ଦ୍ଧ ପରିବାର । ଦେବଗଡ ସହର ଠାରୁ ଏହି ଦୁଇଟି ଗାଁର ଦୂରତା ହେଲା ମାତ୍ର ୩/୪ କିଲୋମିଟର । ହେଲେ ଏହି ଦୁଇଟି ଗାଁ ଠାରୁ ଦେବଗଡ ସହରକୁ ଯାତାୟତ ପାଇଁ ନାହିଁ ଖଣ୍ଡିଏ ନିତିଦିନିଆଁ ରାସ୍ତା । ଯେଉଁ ନାମକୁ ମାତ୍ର ପାଦଚଲା ରାସ୍ତା ଖଣ୍ଡିକ ଅଛି ସେଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବାଳିଆପିଟା ନାଳ । କାଳିଆକଟା ଓ ଚଡ଼କମରା ଗାଁରୁ ଦେବଗଡ ଅଭିମୁଖେ ଯାଇଥିବା ରାସ୍ତା ଉପରେ ପ୍ରବାହିତ ହେଉଛି ବାଳିଆପିଟା ନାଳ । ପାଦଚଲା ରାସ୍ତା ଓ ଏହି ନାଳ ଅତିକ୍ରମ କରି ପ୍ରତିଦିନ ଉପରୋକ୍ତ ଦୁଇଟି ଗାଁରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଦେବଗଡ ସହରକୁ ଯାତାୟତ କରିଥାନ୍ତି । ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥାନ୍ତି । ମୁଖ୍ୟତଃ ବର୍ଷା ଋତୁରେ ଏହି ନାଳରେ ବନ୍ୟା ଆସିବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ଋତୁରେ ନାଳ ପାରିହୋଇ ଦେବଗଡ ସହରକୁ ଯାତାୟତ କରିବା ସମ୍ଭବ ହେଉନଥିବାରୁ ଏହାର ବିକଳ୍ପ ରାସ୍ତା ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ଲୋକଙ୍କୁ ଅଧିକ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ । ନାଳ ଓ ଦୁର୍ଗମ ରାସ୍ତା କାରଣରୁ ଏହି ଗାଁ ଦୁଇଟିକୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେନାହିଁ । ଏଭଳି ସମସ୍ୟାରେ ଦୁଇଟି ଗାଁର ଲୋକେ ଦୀର୍ଘବର୍ଷ ହେଲା ଘାଣ୍ଟିସଙ୍କୁଳି ହେଉଛନ୍ତି ।

ଅନ୍ତତଃ ସହର ଠାରୁ ଏହି ଦୁଇଟି ଗାଁକୁ ଯାତାୟତ ବ୍ୟବସ୍ଥା ସୁଗମ କରିବା ପାଇଁ ବାଳିଆପିଟା ନାଳ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବାକୁ ଏବଂ ସ୍ଥାୟୀ ରାସ୍ତା ଖଣ୍ଡିଏ ନିର୍ମାଣ କରିବାକୁ ଗ୍ରାମବାସୀ ଆଜକୁ ବହୁବର୍ଷ ହେଲା ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛନ୍ତି । ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ନେତାମନ୍ତ୍ରୀଙ୍କ ନିକଟରେ ହାରିଗୁହାରି କରି ଆସୁଛନ୍ତି । ମାତ୍ର ଏଯାଏଁ କୌଣସି ସୁଫଳ ମିଳି ପାରିନାହିଁ । ଏହି ଦୁଇଟି ଗ୍ରାମବାସୀଙ୍କ ସମସ୍ୟା ପ୍ରତି କାହାର ହେଲେବି ତିଳେମାତ୍ର ଦରଦ ଥିବାଭଳି ମନେ ହେଉନାହିଁ । ପ୍ରତିଟି କ୍ଷେତ୍ରରୁ ନିରାଶ ହେବାପରେ ଲୋକେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଆଉ କହିବେ କାହାକୁ ? ଶୁଣିବ ବା କିଏ ?

ଗ୍ରାମାଞ୍ଚଳରୁ ସହରର ମୁଖ୍ୟରାସ୍ତାକୁ ସଂଯୋଗ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷରେ ସରକାର ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ସକାଶେ ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ହେଲେ ବିଡ଼ମ୍ବନାର ବିଷୟ ଯେ, ଦେବଗଡ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା କାଳିଆକଟା ଓ ଚଡ଼କମରା ଗାଁର ସ୍ଥିତି ଦେଖିଲେ ‘ଦ୍ଵୀପ ତଳ ଅନ୍ଧାର’ ସଦୃଶ ମନେହେଉଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer