ବଦଳିଛି ସରକାର, ବଦଳି ଯାଉଛି ବିଭିନ୍ନ ସରକାରୀ କୋଠାବାଡ଼ିର ରଙ୍ଗ । ସବୁଜ ରଙ୍ଗ ବଦଳରେ ବୋଳାଯାଉଛି ଗେରୁଆ ରଙ୍ଗ । ରଙ୍ଗବଦଳ ରାଜନୀତିର ଏଭଳି ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦେବଗଡ ସଦର ମହକୁମା ସ୍ଥିତ ନୂଆଁବାଲିରୋଇ ଠାରେ ନବନିର୍ମିତ ଅତ୍ୟାଧୁନିକ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ।
ଦିନେ ସବୁଜ ରଙ୍ଗରେ ଚିକ୍ ଛିକ୍ କରୁଥିବା ନବନିର୍ମିତ ଚିକିତ୍ସାଳୟ କୋଠାଟି ଏବେ ଗେରୁଆ ରଙ୍ଗରେ ସଜେଇ ହୋଇଛି । ଯେଉଁ ମହତ୍ ଲକ୍ଷରେ ସରକାର ଏହି ଅତ୍ୟାଧୁନିକ ଚିକିତ୍ସାଳୟଟି ନିର୍ମାଣ କରିଥିଲେ, ସେହି ଲକ୍ଷ ଅଦ୍ୟାବଧି ପୂରଣ ହୋଇପାରିଲା ନାହିଁ ।କେବଳ ରଙ୍ଗ ପରିବର୍ତ୍ତନ ମଧ୍ୟରେ ସୀମିତ ହୋଇ ରହିଯାଇଛି ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।
ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାର ‘ଆମ ହସ୍ପିଟାଲ’ ରୁପାନ୍ତରିକରଣ ଯୋଜନାରେ ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ନୂଆଁବାଲିରୋଇ ଠାରେ ନିର୍ମାଣ କରାଇଥିଲେ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମୋଟ ୪୦ ଏକର ପରିମିତ ଜମିରେ ୭ ମହଲା ବିଶିଷ୍ଟ ଏହି କୋଠାଟି ନିର୍ମାଣ ପାଇଁ ସରକାରୀ ରାଜକୋଷରୁ ବ୍ୟୟ ହୋଇଥିଲା ୧୪୩ କୋଟି ଟଙ୍କା । ଏହି କୋଠାଟି ନିର୍ମାଣ କରୁଥିବା ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ସମାପ୍ତ କରି ବର୍ଷେ ପୂର୍ବରୁ ଅର୍ଥାତ୍ ୨୦୨୪ ମସିହାରେ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିସାରିଛି । କେବଳ ଏତିକି ନୁହଁ, ନବନିର୍ମିତ ଚିକିତ୍ସାଳୟକୁ ଗତ ୨୦୨୪ ମସିହା ଫେବୃଆରୀ ୨୬ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ଓ ଲୋକାର୍ପିତ କରିସାରିଛନ୍ତି ।
ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା, ଏହି ଚିକିତ୍ସାଳୟଟି ଉଦଘାଟିତ ହେବା ପରଠାରୁ ଆଜକୁ ୧୫ ମାସ ହେଲା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଇତିମଧ୍ୟରେ ଚିକିତ୍ସାଳୟ ସମ୍ମୁଖରେ ଲାଗିଥିବା ଉଦଘାଟନ ଫଳକଟି କୁଆଡେ ଉଭାନ ହୋଇଯାଇଛି । କୁହାଯାଉଛି ଏହି ନବନିର୍ମିତ ଚିକିତ୍ସାଳୟକୁ ବର୍ତ୍ତମାନ ରାଜ୍ୟରେ ଶାସନାଧୀନ ନୂଆଁ ସରକାର ପୁଣିଥରେ ଉଦଘାଟନ କରି ଲୋକାର୍ପିତ କରିବେ । ହେଲେ ପୂର୍ବରୁ ଚିକିତ୍ସାଳୟ କୋଠାରେ ଲାଗିଥିବା ରଙ୍ଗକୁ ନେଇ ଦେଖାଦେଇଛି ସମସ୍ୟା । ପୂର୍ବ ସରକାର ଅମଳରେ ଲାଗିଥିବା ସବୁଜ ରଙ୍ଗ ବଦଳରେ ଗେରୁଆ ରଙ୍ଗ କରାଯିବା ପରେ ହିଁ ମନ୍ତ୍ରୀ ଫିତା କାଟିବେ ଓ ନବନିର୍ମିତ ଚିକିତ୍ସାଳୟଟି ପୁନର୍ବାର ଲୋକାର୍ପିତ କରାଯିବ ବୋଲି ବିଭିନ୍ନ ମହରେ ବେସ୍ ଆଲୋଚନା ହେଉଥିଲା । ତାହା ଏବେ ସତ ପ୍ରମାଣିତ ହୋଇଛି । ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । କିଛିଦିନ ହେଲା ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନବନିର୍ମିତ ଚିକିତ୍ସାଳୟ କୋଠାରେ ଲାଗିଥିବା ସବୁଜ ରଙ୍ଗକୁ ହଟାଇ ସେଠାରେ ଗେରୁଆ ରଙ୍ଗ ବୋଳା ଯାଉଛି । ଏସଂପର୍କରେ ଦେବଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ନବନିର୍ମିତ ଚିକିତ୍ସାଳୟ କୋଠାକୁ ‘ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ଥିବାରୁ କୋଠାରେ ରଙ୍ଗମରା କାର୍ଯ୍ୟ ଚାଲିଥିବା ସେ ପ୍ରକାଶ କରିବା ସହିତ ଏଥିପାଇଁ ଆନୁମାନିକ ୩୦ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି କହିଛନ୍ତି ।
ତେବେ ଗୋଟିଏ ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁଣିଥରେ ସେଠାରେ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟକରି ରଙ୍ଗ ପରିବର୍ତ୍ତନ ଓ ପୁନର୍ବାର ଲୋକାର୍ପିତ କରାଯିବା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି । ଗୋଟିଏ ପଟେ ରଙ୍ଗ ବିବାଦ ରାଜନୀତିରେ ଛନ୍ଦିହୋଇ ନବନିର୍ମିତ ଚିକିତ୍ସାଳୟଟି ଦିର୍ଘମାସ ହେଲା କାର୍ଯ୍ୟକ୍ଷମ ହୋଇପାରୁଥିବା ବେଳେ, ଅନ୍ୟପଟେ ପୁରୁଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ସ୍ଥାନାଭାବରୁ ରୋଗୀମାନେ ବାରଣ୍ଡାରେ ଶୋଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।
ତେବେ ରଙ୍ଗ ପରିବର୍ତ୍ତନ ପରେ ଏହି ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟଟି କେବେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ଓ ଲୋକେ ଏଠାରୁ କିଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବେ, ତାହା ଦେଖିବାକୁ ବାକିରହିଲା ।
