ସରକାରଙ୍କ ଗୋଟିଏ ବର୍ଷର ସଫଳତା ଓ ବିଫଳତା କୁ ନେଇ ପୁଣିଥରେ ଯୋର୍ ଧରିଛି ରାଜନୀତି । ରାଜ୍ୟରେ ଶାସନାଧୀନ ବିଜେପି ( ଭାରତୀୟ ଜନତା ପାର୍ଟି) ସରକାର ଗୋଟିଏ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜ ସଫଳତା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଉଥିବା ବେଳେ, ଏହାର ଜବାବରେ ବିଜେଡ଼ି (ବିଜୁ ଜନତା ଦଳ) ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଅଣ୍ଟା ଭିଡିଛି ।
ଆଜି ୧୨ ତାରିଖରେ ମୋହନ ସରକାରକୁ ଏକବର୍ଷ ପୁରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ବିଜେପି ସରକାର ବର୍ଷକ ମଧ୍ୟରେ ଅନେକ ନୂଆ ନୂଆ ପଦକ୍ଷେପ ନେଇଛନ୍ତି । ଲୋକଙ୍କ ସେବାରେ ସମର୍ପିତ ସରକାରର ବର୍ଷକର ଉପଲବ୍ଧି ବାବଦରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରିଛନ୍ତି । ଇଚ୍ଛା ଶକ୍ତି ଥିଲେ ୨୪ ବର୍ଷ ନୁହେଁ, ୨୪ ମିନିଟ ଯଥେଷ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ୧୦ ଟି ବିନ୍ଦୁ ଉପରେ ସରକାରଙ୍କ ସଫଳତାର ଶ୍ୱେତପତ୍ର ଜାରି କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ଉପରେ ସରକାର ଫୋକସ୍ ରଖି ଯୋଜନା ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି । କୃଷି, ଶିଳ୍ପ ଅଭିବୃଦ୍ଧି, ଓଡ଼ିଆ ଅସ୍ମିତା, ଜନଜାତିଙ୍କ ସାମଗ୍ରିକ ବିକାଶ, ବିକଶିତ ଓଡିଶା ଗଠନର ରୋଡ଼ମ୍ୟାପ, ସମ୍ମୁନତ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଉପରେ ବିଜେପି ସରକାର ଗୁରୁତ୍ୱ ଦେଇଛନ୍ତି । ଇଚ୍ଛା ଶକ୍ତି ଥିଲେ ୨୪ ବର୍ଷ ନୁହେଁ, ୨୪ ମିନିଟ ଯଥେଷ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ପ୍ରଥମ କ୍ୟାବିନେଟ ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଥିଲା ମୋହର । ସେଥିପାଇଁ ଲାଗିଥିଲା ମାତ୍ର ୨୪ ମିନିଟ । ସେହିପରି କେନ୍ଦ୍ର ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି ।
ଶିଳ୍ପ ଅଭିବୃଦ୍ଧି, ଆର୍ଥିକ ସମୃଦ୍ଧିରେ ଓଡ଼ିଶା ଆଗେଇଛି । ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ଆୟୋଜନ କରିଥିଲେ ମୋହନ ସରକାର । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ । ଏଥିରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ପାଇଁ ୭୨,୨୮୮ ହିତାଧ୍ୟାକାରୀଙ୍କ ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି । ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ୨୦୭ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର ହୋଇଛି । ଦୀନଦୟାଲ କର୍ମଚାରୀ ଗୃହ ଯୋଜନାରେ ରାଜ୍ୟର ୬ଟି ପ୍ରମୁଖ ଶିଳ୍ପାଞ୍ଚଳରେ ମୋଟ ୨୪,୬୭୨ ଶଯ୍ୟା କ୍ଷମତା ବିଶିଷ୍ଟ ୧୩ଟି ଶ୍ରମିକ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି । ଗୋଟିଏ ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେପି ।
ସେପଟେ ବିଜେପି ସରକାର ର ଗୋଟିଏ ବର୍ଷର ବିଫଳତାକୁ ଜନତାଙ୍କ ସାମ୍ନାକୁ ଆଣିଛି ବିଜେଡ଼ି । ବିଜେପି ସରକାର ବର୍ଷକ ମଧ୍ୟରେ ମହିଳା, ଯୁବକ ଓ ଛାତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜେଡି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କିମ୍ବା ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି । ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ବିଜେପିର ପ୍ରତିଶୃତି ମିଛ ବୋଲି ପ୍ରମାଣିତ ହୋଇଛି । କ୍ଷମତାକୁ ଆସିଲେ ଲୋକଙ୍କୁ ତିନିଶହ ୟୁନିଟ ବିଜୁଳି ମାଗଣା ଦିଆଯିବାର ପ୍ରତିଶ୍ରୁତି ପାଣିର ଗାର ହୋଇଛି ।
ଏହା ବ୍ୟତୀତ ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା । ପ୍ରକୃତରେ, ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାଃ ବାଃ ନେବାକୁ ବୃଥା ଚେଷ୍ଟା କରୁଛି । ତେଣୁ ମହିଳାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ ଆସନ୍ତା ୧୩ ତାରିଖରେ ଯାଜପୁରରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ବିଜେଡି କହିଛି ।
କୌଣସି ରାଜ୍ୟ ବା ଦେଶର ଭବିଷ୍ୟତ ନିର୍ମାଣରେ ଯୁବକ ଓ ଛାତ୍ର ମାନଙ୍କର ବିକାଶ ବିନା ସମ୍ଭବ ନୁହେଁ । ଏକ ବର୍ଷର ବିଜେପି ସରକାର, ରାଜ୍ୟରେ ଯୁବ ଓ ଛାତ୍ରଙ୍କୁ ଦେଇଥିବା ପ୍ରତିଶୃତି ପୂରଣରେ ବିଫଳ ହେବା ସହିତ ଯୁବକ ଓ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟର ୧.୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶୃତି ପାଣିର ଗାର ହୋଇଛି ।
ଗତ ଏକ ବର୍ଷରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ଯେଉଁଥିପାଇଁ, ପରୀକ୍ଷାର୍ଥୀ ମାନେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିଛନ୍ତି । ଓଜେଏସ ପରୀକ୍ଷାରେ ପ୍ରଶ୍ନ ପତ୍ର ବିଭ୍ରାଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ରାଜ୍ୟ ସରକାରଙ୍କ ପାରିବାପଣିଆକୁ କାଠଗଡାରେ ଛିଡା କରିଛି । ସେହିପରି ଷ୍ଟାଫ ସିଲେକସନ, ଓପିଏସସିର ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଥିଲା । କେଉଁଠି ପ୍ରଶ୍ନ ପତ୍ର ଲିକ ତ କେଉଁଠି ଭୁଲ ପ୍ରଶ୍ନ ପତ୍ର ବଣ୍ଟନ, ଯାହା ଫଳରେ ଗତ ଏକ ବର୍ଷ ଭିତରେ ଗୋଟିଏ ବି ପରୀକ୍ଷା ତ୍ରୁଟିଶୂନ୍ୟ ଭାବରେ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି ସରକାର ବୋଲି ବିଜେଡ଼ି ଅଭିଯୋଗ କରିଛି ।
ସରକାରଙ୍କ ଗୋଟିଏ ବର୍ଷର ସଫଳତା ଓ ବିଫଳତା କୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତି ତୀବ୍ର ହେବାରେ ଲାଗିଛି । ତେବେ ସାଧାରଣ ଲୋକଙ୍କ ଉପରେ ଏହି ରାଜନୀତିର କିଭଳି ପ୍ରଭାବ ପଡ଼ିବ ଓ ଲୋକେ କାହାକୁ ସଫଳତା ଓ କାହାକୁ ବିଫଳତାର ଶ୍ରେୟ ଦେବେ, ତାହା ସମୟ ହିଁ କହିବ ।
