‘ଓଡ଼ିଶାରେ ବାବୁରାଜ୍ ସମାପ୍ତ ହେବ । ମନ୍ତ୍ରୀ ହୁଅନ୍ତୁ କିମ୍ବା ଅଫିସର ସେମାନେ ସମସ୍ତେ ହେଲେ ସେବକ ଓ ସାଢେ଼ ଚାରିକୋଟି ଓଡ଼ିଆ ହେଲେ ମାଲିକ । ‘ପିପୁଲସ ଫ୍ରେଣ୍ଡେଲି’ ହେବ ରାଜସ୍ବ ବିଭାଗ । ଲୋକଙ୍କ ଟିକସରେ ସମସ୍ତେ ଦରମା ପାଉଛନ୍ତି । ତେଣୁ ସାଧାରଣ ଲୋକଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସମସ୍ତଙ୍କର କର୍ତ୍ତବ୍ୟ’ ବୋଲି କହିଛନ୍ତି ମାନ୍ୟବର ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ।
ଦେବଗଡ : ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି (ଶୁକ୍ରବାର) ସ୍ଥାନୀୟ ପ୍ରଧାନପାଟ ବଡ ବଗିଚା ଠାରେ ଅନୁଷ୍ଠିତ ‘ ବିକଶିତ ଜିଲ୍ଲା ଓ ବିକଶିତ ଓଡ଼ିଶା ‘ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗାଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ପୁଝାରୀ ରାଜ୍ୟ ସରକାର ଗୋଟିଏ ବର୍ଷ ମଧ୍ୟରେ ହାତକୁ ନେଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ପୂର୍ବ ସରକାର ତାଙ୍କ ୨୪ ବର୍ଷର ଶାସନ କାଳରେ ଯାହା କରିପାରି ନଥିଲେ ତାହା ବର୍ତ୍ତମାନ ବିଜେପି ସରକାର ଗୋଟିଏ ବର୍ଷରେ କରି ଦେଖାଇଛି । ସରକାର ଶାସନ କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ୨୧ ଗୋଟି ପ୍ରତିଶ୍ରୁତି ଦେଇଥିଲେ ସେଥିମଧ୍ୟରୁ ବର୍ତ୍ତମାନ ୧୧ ଗୋଟି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଆସନ୍ତା ବର୍ଷ ଅନ୍ୟ ପ୍ରତିଶ୍ରୁତି ଗୁଡ଼ିକ ମଧ୍ୟ ପୂରଣ କରାଯିବ । ଆମେ ସ୍ବପ୍ନ ଦେଖିଛୁ ନୂଆଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ । ଦେବଗଡ ଜିଲ୍ଲା ଏକ ଛୋଟ ଜିଲ୍ଲା ମାତ୍ର ଏହି ଜିଲ୍ଲା ଏକ ସମସ୍ୟା ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଗତ ସରକାର ହାଇଟେକ୍ ସର୍ଭେ କରାଇଥିଲେ । ଏହି ସର୍ଭେ ଭଲ ହୋଇଥିବା ନୋଟିଫିକେସନ୍ ମଧ୍ୟ କରିଥିଲେ । ମାତ୍ର ଏହି ସର୍ଭେ ଏଭଳି ତ୍ରୁଟିପୂର୍ଣ୍ଣ ହେଲାଯେ ଆଜି ଜିଲ୍ଲାରେ ସାଢେ଼ ପାଞ୍ଚାହଜାର ଅଭିଯୋଗ ପତ୍ର ପଡ଼ିଛି । ଏହି ତ୍ରୁଟିପୂର୍ଣ୍ଣ ସର୍ଭେ କୁ ସୁଧାରିବା ପାଇଁ ଆମ ସରକାର ଏପର୍ଯ୍ୟନ୍ତ ଚାରୋଟି ବୈଠକ କରି ସାରିଲେଣି । ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯାଉଛି । ଏହି ଭୁଲ ଯେପରି ସଂଶୋଧନ ହୋଇପାରିବ ସେଥିପାଇଁ ଆମ ସରକାର ପ୍ରୟାସ ଜାରିରଖିଛି । ରାଜସ୍ବ ବିଭାଗରେ ଗୋଟିଏ ବର୍ଷରେ ବହୁତ୍ ସଂସ୍କାର ଆସିଲାଣି ଓ ଆଗାମୀ ବର୍ଷରେ ମଧ୍ୟ ସରକାର ଆହୁରି ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଧିନତାର ୭୫ ବର୍ଷରୁ ଉର୍ଦ୍ଧ ହୋଇଗଲାଣି ହେଲେ ବହୁ ଗରିବ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ଜମି ଖଣ୍ଡିଏ ମଧ୍ୟ ନାହିଁ । ଆମେ ନିଷ୍ପତ୍ତି ନେଇଛୁ ଯେଉଁ ଗରିବ ପରିବାରଙ୍କ ପାଖରେ ଜମି ନାହିଁ ସେହି ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ୪ ଡ଼ିସ୍ମିଲ୍ ଲେଖାଏଁ ଜମି ଯୋଗାଇ ଦିଆଯିବ । କେବଳ ଜମି ନୁହଁ, ଘର ନଥିବା ପରିବାରଙ୍କୁ ମଧ୍ୟ ପକ୍କା ଘର ଯୋଗାଇ ଦିଆଯିବ । ରାଜ୍ୟରେ କେହି ଭୂମିହୀନ କିମ୍ବା ବାସହୀନ ରହିବେ ନାହିଁ ଏହା ଆମର ଲକ୍ଷ । ରାଜସ୍ବ ବିଭାଗ ସମୀକ୍ଷାରୁ ଜଣାପଡିଛି ଯେ, ଆଜିବି ଅନେକ ଜମି ମାଲିକ ଅଛନ୍ତି କିନ୍ତୁ ସେମାନଙ୍କର ଜମି ପୂର୍ବଜଙ୍କ ନାମରେ ଅଛି । ଅନେକ ବର୍ଷରୁ ସେମାନଙ୍କ ଦେହାନ୍ତ ହୋଇଥିଲେ ସୁଦ୍ଧା ଜମିର ମାଲିକାନାସତ୍ତ୍ଵ ପରିବର୍ତ୍ତନ ହୋଇ ପାରିନାହିଁ । ମ୍ୟୁଟେସନ କରାଇବାରେ ଲୋକେ ବହୁ ହଇରାଣ ହେଉଛନ୍ତି । ଏଥିପାଇଁ ମାସମାସ ସମୟ ଲାଗୁଛି । ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡ଼ିବାକୁ ପଡୁଛି । ତେବେ ଏହି ପ୍ରକ୍ରିୟାକୁ ସହଜ କରାଇବା ପାଇଁ ସରକାର ରାଜସ୍ବ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକେ ମ୍ୟୁଟେସନ୍ କରିବା ପାଇଁ ଆଉ ତହସିଲ କାର୍ଯ୍ୟାଳୟକୁ ଆସିବେ ନାହିଁ । ତହସିଲଦାର ଓ ରାଜସ୍ବ ବିଭାଗ କର୍ମଚାରୀ ମାନେ ଘରକୁଘର ଯାଇ ମ୍ୟୁଟେସନ କରାଇବେ ଓ ନୂଆଁ ମାଲିକାନା ପଞ୍ଜୀକୃତ କରାଇବେ । ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟରେ ବହୁ ଶିକ୍ଷାନୁଷ୍ଠାନ ରହିଛି, ଯେଉଁ ମାନଙ୍କର ନିଜସ୍ଵ ଜମି ଏପର୍ଯ୍ୟନ୍ତ ରେକର୍ଡ ହୋଇପାରିନାହିଁ । ଏହା ସରକାରଙ୍କ ଦୃଷ୍ଟିକୁ ଆସିଛି । ନିଜସ୍ଵ ଜମି ରେକର୍ଡ ହୋଇନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ଜମି ତୁରନ୍ତ ରେକର୍ଡ କରାଇବା ପାଇଁ ମଧ୍ୟ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।
ଦେବଗଡ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ଦେବଗଡ ଜିଲ୍ଲାରେ ସବୁଠାରୁ ବଡ ସମସ୍ୟା ହେଲା ବେକାରୀ ସମସ୍ୟା । ଏହି ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା । ଏଠାରେ କୃଷି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ଏହି ଉଦଘାଟନୀ ସମାରୋହରେ ସମ୍ବଲପୁର ଲୋକସଭା ସାଂସଦଙ୍କ ନୋମିନି ତଥା ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ଭାରପ୍ରାପ୍ତ ପୌର ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ, ରାଜସ୍ବ ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ, ଯୋଗାଣ ବିଭାଗ ଓ ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଘରବାଡି ପଟ୍ଟା, ମୃତ୍ୟୁ କାଳୀନ ସହାୟତା, ନୂତନ ରାସନ କାର୍ଡ, ହାତୀ ଉପଦ୍ରଵ ରେ କ୍ଷୟ କ୍ଷତି ପ୍ରଦାନ, ପ୍ରବନ୍ଧ ଓ ଚିତ୍ରାଙ୍କନ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସହାୟତା ପ୍ରମୁଖ ବଣ୍ଟନ କରାଯାଇଥିଲା।
