ଦୀର୍ଘ ୪୧ ବର୍ଷ ପରେବି ଗାଁ କୁ ହୋଇପାରିଲାନି ଖଣ୍ଡିଏ ନିତିଦିନିଆଁ ରାସ୍ତା । କାଦୁଆ ପଚ୍ ପଚ୍ ମାଟି ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ସେପଟେ ଜିଲ୍ଲାର ହେଉଥିବା ବିକାଶକୁ ନେଇ ସ୍ଥାନୀୟ ପ୍ରଶାସନ ଡିଣ୍ଡିମ ପିଟି ଚାଲିଥିବା ବେଳେ, ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ଗଣ୍ଡମ ପଞ୍ଚାୟତର ଲକ୍ଷ୍ମୀପୁର ଗାଁ ରେ ।
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଗଣ୍ଡମ ପଞ୍ଚାୟତର ଲକ୍ଷ୍ମୀପୁର ଗାଁ । ଆଜକୁ ଦୀର୍ଘ ୪୧ ବର୍ଷ ହେଲା ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତ ହୋଇଥିବା ୫୦ ଟି ପରିବାର ଏଠାରେ ବସତି ସ୍ଥାପନ କରି ବସବାସ କରି ଆସୁଛନ୍ତି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ଗାଁ କୁ ଏଯାଏଁ ହୋଇପାରିନାହିଁ ଖଣ୍ଡିଏ ନିତିଦିନିଆଁ ରାସ୍ତା । ଆର୍ ଡି ରାସ୍ତାରୁ ଏହି ଗାଁ କୁ ସଂଯୋଗ ହୋଇଥିବା ପ୍ରାୟ ୨ କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବିଶେଶକରି ବର୍ଷାରୁତୁରେ ଏହି ରାସ୍ତା ପାଣି ଓ କାଦୁଅ ରେ ଭର୍ତ୍ତି ହୋଇ ଯାଉଥିବା ବେଳେ, ଲଗାଣ ବର୍ଷାରେ ଏହି ରାସ୍ତା ଉପରେ ଚାଷଜମିର ପାଣି ପ୍ରବାହିତ ହେଉଛି । ଫଳରେ ବର୍ଷାରୁତୁରେ ଗ୍ରାମବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗାଁ କୁ ଖଣ୍ଡିଏ ନିଟିଦିନିଆଁ ରାସ୍ତା ନିର୍ମାଣ କରିବାକୁ ଆଜକୁ ଦୀର୍ଘ ୪୧ ବର୍ଷ ହେଲା ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇ ଆସୁଛନ୍ତି । ମାତ୍ର ଏଯାଏଁ ସମସ୍ୟାର ସମାଧାନ ହୋଇପାରିନାହିଁ । ପ୍ରଶାସନକୁ ଜଣାଇ ନିରାଶ ହେବାପରେ ଲୋକେ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ।
ଗୋଟିଏ ପକ୍ଷରେ ଜିଲ୍ଲାରେ ବିକାଶ ପ୍ରକ୍ରିୟା ଆଗେଇ ଚାଲିଥିବା ନେଇ ସ୍ଥାନୀୟ ପ୍ରଶାସନ ବିଭିନ୍ନ ସଭାସମିତିରେ ଡ଼ିଣ୍ଡିମ ପିଟୁଛି । ହେଲେ ଲକ୍ଷ୍ମୀପୁର ଗାଁ ର ଅବସ୍ଥା ଦେଖିଲେ ବିକାଶ ଏଠାରେ ଜଳ ଜଳ ହୋଇ ଦିଶୁଛି ।
