Explore

Search
Close this search box.

Search

July 5, 2025 5:12 am

ଦେବଗଡ ଜିଲ୍ଲାରେ ବିକ୍ରି ହେଉଛି ଠିକାକାମ, ମାଲେମାଲ ହେଉଛନ୍ତି ରାଜନେତା, ଅଭିଯୋଗ କଲେ ବିଧାୟକ ।

ଦେବଗଡ ଜିଲ୍ଲାରେ ବିକ୍ରି ହେଉଛି ଠିକାକାମ । ଠିକାକାମ ବିକ୍ରି କରି ମାଲେମାଲ ହେଉଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନିଜକୁ ପ୍ରଭାବଶାଳୀ ବୋଲାଉଥିବା କୁଜିନେତା । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।

ଦେବଗଡ ୨୩/୬ ( ସରୋଜ ଶତପଥୀ ) – ଦେବଗଡ ଜିଲ୍ଲାରେ ବିକ୍ରି ହେଉଛି ଠିକାକାମ । ମୋଟା ଅଙ୍କରେ ଠିକାକାମ ବିକ୍ରି କରି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନିଜକୁ ପ୍ରଭାବଶାଳୀ ବୋଲାଉଥିବା କୁଜିନେତା ମାଲେମାଲ୍ ହେଉଥିବା ବେଳେ ଜିଲ୍ଲାରେ ହେଉଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଅତ୍ୟନ୍ତ ନିମ୍ନ ମାନର ହେଉଛି । ସରକାରୀ ନୀତିନିୟମ ବୋଲି ଆଉ ଏଠାରେ କିଛି ନାହିଁ । ହଁ ଆଜ୍ଞା, ଏକଥା ଆମେ କହୁନୁ, ସାମ୍ବାଦିକ ସମ୍ମିଳନୀରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।

ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ‘ବିକଶିତ ଗାଁ, ବିକଶିତ ଓଡିଶା’ ଯୋଜନାରେ ଆସିଥିବା ଉନ୍ନୟନ କାମଗୁଡିକ ମଧ୍ୟରୁ ପଞ୍ଚାୟତ ସ୍ତରରେ ୪୦ ପ୍ରତିଶତ କାମ ବିଧାୟକଙ୍କ ସୁପାରିଶରେ କରାଯାଇ ପାରିବ। ମାତ୍ର ଶତ ପ୍ରତିଶତ ନିର୍ମାଣ କାର୍ଯ୍ୟ ଠିକାରେ ବିକ୍ରି ହେଉଥିବା ନଜରକୁ ଆସିଛି । ତେଣୁ ଠିକା କାମ ବିକ୍ରି ନହୋଇ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଉନ୍ନୟନ କାର୍ଯ୍ୟ କରାଯିବାକୁ ରବିବାର ଜିଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିଳ୍ପବିହୀନ ଦେବଗଡ ଜିଲ୍ଲାରେ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କିନ୍ତୁ ଘରୋଇ ନିଯୁକ୍ତି ଦାତା (ସର୍ଭିସ ପ୍ରୋଭାଇଡର) ଙ୍କ ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ କିଛି ଗୋଷ୍ଠୀ ନେତାଙ୍କ ପ୍ରଭାବର ପ୍ରଲୋଭନ ଦେଖାଇ ନିରୀହ ଯୁବଗୋଷ୍ଠୀ ଠାରୁ ମୋଟା ଅର୍ଥ ସଂଗ୍ରହ କରୁଛନ୍ତି । ଆଗାମୀ ଦିନରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯାଇ ଜିଲା ନିୟୋଜନ କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା ସ୍ଥାନୀୟ ଯୁବକ/ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଥି ସହିତ ଜିଲାରେ ଥିବା ପଥର, ମୁରୁମ୍ ଏବଂ ବାଲି ଆଦି ଲଘୁ ଖଣିଜର ସୈରାତ ଉତ୍ସରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବେଆଇନ ଭାବେ ଏକାଧିକ ସୈରାତ ଉତ୍ସ ଚାଲିଛି। ଜିଲାରେ ୬ଟି ବାଲିଘାଟ ଏବଂ ୩ଟି ପଥର କ୍ୱାରୀ ରହିଥିବା ବେଳେ, ଏହାଠାରୁ ଅଧିକ ସୌରାତ ଉତ୍ସରୁ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏହି ଅନିୟମିତତା ସମ୍ପର୍କରେ ସେ ଗତ ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଉପରୋକ୍ତ ସମସ୍ତ ଅନିୟମିତତା ରୋକିବା ଦିଗରେ ସରକାର ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଜେଡ଼ି ପକ୍ଷରୁ ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ବିଶ୍ଵାଳ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଚନ୍ଦ୍ରଶେଖର ଭୁକ୍ତା, ମନୋଜ ପ୍ରଧାନ, ଯୁବ ବିଜେଡି ସଭାପତି ପ୍ରତାପ ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ରୂପକ ମାଝୀ, ସଂଜୀବ ନାଏକ ଓ ମା‌ନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer