ରାଜ୍ୟରେ ଦିନକୁ ଦିନ ମହିଳା ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢି ବଢି ଚାଲିଛି । ବିଜେପି ସରକାରରେ ମହିଳା ଅସୁରକ୍ଷିତ ହୋଇ ପଡିଛନ୍ତି । ଏହାର ପ୍ରତିବାଦ କରି ଦେବଗଡ ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତଳିକା ଦାହ କରାଯାଇଛି ।
ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଥିବା ମହିଳା ଦୁଷ୍କର୍ମ ଓ ନିର୍ଯ୍ୟାତନା ପ୍ରତିବାଦରେ ଆଜି (ବୁଧବାର) ଦେବଗଡ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି । ଆଜି ଦିନ ପ୍ରାୟ ୧ ଟା ଯାଏଁ ଏହି ଆନ୍ଦୋଳନ କରାଯାଇଥିଲା । ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଏବଂ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମକୁ ବିରୋଧ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ନାରାବାଜି ଏବଂ ବିକ୍ଷୋଭ କରାଯାଇଛି । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁଁ ମହିଳା ମାନେ ଘରୁ ପାଦ କାଢିବାକୁ ଭୟ କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟରେ ଶାସନାଧୀନ ବିଜେପି ସରକାର ସମ୍ପୁର୍ଣ୍ଣ ଫେଲ ମାରିଥିବା ଅଭିଯୋଗ କରାଯାଇଛି । ଆସନ୍ତା ଦିନରେ ମହିଳାଙ୍କୁ ସୁରକ୍ଷା ଦିଆନଗଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ ଚେତାବନୀ ଦିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ପ୍ରତାପ ଦେବ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ସୁନୀଲ ପ୍ରଧାନ, ଶରତ ମେହେର, ରୂପକ ମାଝୀ, ସଂଜୀବ ନାଏକ, ଅମିତ ରଣଜିତ, ଝାଡେଶ୍ୱର ପ୍ରଧାନ, ଲକୀ ସାହୁ, କ୍ଷିରୋଦ ହାତୀ, କ୍ଷିତିଶ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
