ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଗାଁକୁ ଆସୁଛନ୍ତି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ । ପକ୍ଷୀଙ୍କ କୋଳାରବରେ ଗାଁ ଦାଣ୍ଡ ଉତ୍ସବ ମୁଖରିତ ହୋଇ ଉଠୁଥିବା ବେଳେ, ପକ୍ଷୀଙ୍କ ଆଗମନରୁ ମୌସୁମୀ ବର୍ଷାର ସଙ୍କେତ ପାଇ ଚାଷୀକୁଳଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଗାଁରେ ।
ଦେବଗଡ ୨୬/୬ ( ସରୋଜ ଶତପଥୀ ) – ଦେବଗଡ ଜିଲ୍ଲା ରିଆମାଳ ବ୍ଲକର କୁଣ୍ଢେଇଗୋଳା ଗାଁ ଏବେ ବିରଳ ପ୍ରଜାତିର ପକ୍ଷୀଙ୍କ କୋଳାରବରେ ମୁଖରିତ ହୋଇଉଠିଛି । ଗାଁ ମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ଥିବା ଦୁଇଟି ତେନ୍ତୁଳି ଗଛ ଶହଶହ ସଂଖ୍ୟାରେ ବିରଳ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ବାସସ୍ଥାନ ପାଲଟିଛି । ପକ୍ଷୀଙ୍କ ଆଗମନରେ ଅଞ୍ଚଳବାସୀ ଓ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଛି । ଏହି ପକ୍ଷୀ ଗେଣ୍ଡାଳିଆ ପ୍ରଜାତିର ହୋଇଥିବା କୁହାଯାଉଥିବା ବେଳେ ଏହାର ସଠିକ ନାମ ଜଣାପଡିନାହିଁ । ପ୍ରତିବର୍ଷ ଜୁନ/ଜୁଲାଇ ମାସରେ ଶହଶହ ସଂଖ୍ୟାରେ ପକ୍ଷୀମାନେ ଗାଁକୁ ଆସିବା ଆରମ୍ଭ କରିଥାନ୍ତି । ପକ୍ଷୀଙ୍କ ଆଗମନ ଦେଖିଲେ ଚାଷୀକୁଳ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି । ବିଦେଶାଗତ ପକ୍ଷୀଙ୍କୁ ଦେଖି ସମସ୍ତଙ୍କ ମନରେ ଆନନ୍ଦ ଖେଳି ଯାଇଥାଏ । ପକ୍ଷୀଙ୍କ କୋଳାରବରେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଥାଏ । ଚାଷୀକୁଳ ପକ୍ଷୀଙ୍କ ଆଗମନ ଦେଖି ଚାଷକାର୍ଯ୍ୟ ପାଇଁ ସଜବାଜ ହୋଇଥାନ୍ତି । ଯେଉଁବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ରହିଥାଏ, ସେହିବର୍ଷ ସ୍ୱାଭାବିକ ବର୍ଷା ହେବାର ମଧ୍ୟ ସଠିକ୍ ଆକଳନ କରିଥାନ୍ତି ଗ୍ରାମବାସୀ । ବିରଳ ପ୍ରଜାତିର ପକ୍ଷୀ ମାନେ ଗାଁରେ ଛୁଆ ଜନ୍ମ କରି ଉଡା ଶିଖାଇଲା ପରେ ଫେବୃଆରୀ/ମାର୍ଚ୍ଚ ମାସ ବେଳକୁ ଗାଁ ଛାଡି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥାନ୍ତି ।
କୁଣ୍ଢେଇଗୋଳା ଗାଁରେ ପକ୍ଷୀ ଶୀକାର ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗାଁ କମିଟି ତଥା ସ୍ଥାନୀୟ ଭିଏସଏସ ପକ୍ଷରୁ ପକ୍ଷୀ ଶିକାର ପାଇଁ ଆର୍ଥିକ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ସର୍ବଦା ତତ୍ପର ଥିବା ଦେଖାଯାଇଛି । ଫଳରେ ପକ୍ଷୀମାନେ ଏହି ଗାଁକୁ ନିରାପଦ ଆଶ୍ରୟ ସ୍ଥଳୀ ଭାବେ ବାଛିନେଇ ପ୍ରତିବର୍ଷ ଏମାନଙ୍କ ଆଗମନ ଲାଗି ରହିଥାଏ । ଏହି ବିରଳ ପକ୍ଷୀ ପାଇଁ କୁଣ୍ଢେଇଗୋଳା ଗାଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।
ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପ୍ରତିବର୍ଷ ଗାଁକୁ ଆସୁଥିବା ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ସମ୍ୱନ୍ଧରେ ଅଧିକ ଗବେଷଣା କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ପକ୍ଷୀପ୍ରେମୀ ଓ ପରିବେଶବିତ ମାନେ ମତ ଦେଇଛନ୍ତି ।
