ଦାଉ ସାଧୁଛି ପ୍ରକୃତି । ବଦଳୁଛି ପାଣିପାଗ ଓ ଜଳବାୟୁ । ବଢୁଛି ତାପମାତ୍ରା । କାମୁଛି ବୃଷ୍ଟିପାତ । ଚଳିତ ଶୀତ ରୃତୁରେ ବି ଅସହ୍ୟ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ ।
ସବୁଜ ବନପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ବଦଳିବାରେ ଲାଗିଛି ପ୍ରାକୃତିକ ପରିବେଶ । ଆଉ ପୂର୍ବଭଳି ସେହି ପ୍ରାକୃତିକ ପରିବେଶ ନାହିଁ । ଜିଲ୍ଲାରେ ବୃକ୍ଷରାଜିର ଦ୍ରୁତ ଅବକ୍ଷୟ ଯୋଗୁଁ ହ୍ରାସପାଇଛି ବୃଷ୍ଟିପାତ । ଏହି କାରଣରୁ ପ୍ରତ୍ୟେକ ବର୍ଷ ତାପମାତ୍ରା ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଶରତ ଋତୁ ( ଅକ୍ଟୋବର ) ରେ ବି ଦେବଗଡ଼ ଜିଲ୍ଲାରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଯାହା ଫଳରେ ଲୋକମାନେ ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁଁ ଅତିଷ୍ଠ ହୋଇପଡ଼ିଲେଣି। ଜିଲ୍ଲାରେ ଚଳିତ ମାସରେ ତାପମାତ୍ରା ୩୦ ରୁ ୩୨ ଡିଗ୍ରି ମଧ୍ୟରେ ରହୁଛି। ଅକ୍ଟୋବର ମାସରେ ୧୭ ଦିନ ମଧ୍ୟରୁ କେବଳ ୪ ଦିନ ବର୍ଷା ହୋଇଥିବା ବେଳେ ବାକି ଦିନ ବର୍ଷାରେ ଉଭାନ ହୋଇଯାଇଛି । ପୂର୍ବବର୍ଷ ତୁଳନାରେ ବର୍ଷାର ଅନୁପାତ ହ୍ରାସ ପାଉଛି । ଦେବଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କେବଳ ୧୬.୫୩ ମିମି ବର୍ଷା ରେକର୍ଡ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ବିଗତ କିଛି ବର୍ଷର ତାପମାତ୍ରାର ପରିସଂଖ୍ୟାନ ତର୍ଜମା କଲେ ୨୦୨୩ ସେପ୍ଟେମ୍ବର ମାସରେ ଜିଲ୍ଲାରେ ୨୮ରୁ ୩୧ ଡିଗ୍ରି ମଧ୍ୟରେ ରହୁଥିଲା । ଗତ ୨୦୨୩ ଅକ୍ଟୋବରରେ ତାପମାତ୍ରା ୨୮ରୁ ୩୨ ଡିଗ୍ରି ମଧ୍ୟରେ ରହୁଥିଲା । ମାତ୍ର ୨୦୨୪ ସେପ୍ଟେମ୍ବର ମାସରେ ତାହା ବୃଦ୍ଧି ପାଇ ୨୯ରୁ ୩୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ (ଅକ୍ଟୋବର) ମାସରେ ୧୭ ଦିନ ମଧ୍ୟରୁ ୩ ଦିନ ୩୨ ଡିଗ୍ରି ଉପରେ ତାପମାତ୍ରା ରହୁଥିବାବେଳେ ବାକି ୧୪ ଦିନ ୩୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡ଼ିଛି । ସେହିପରି ୨୦୨୩ ସେପ୍ଟେମ୍ବର ମାସରେ ଜିଲ୍ଲାରେ ୨୩୫, ୭ ମିମି ବର୍ଷା ବଦଳରେ ୨୪୫.୮୮ ମିମି ବର୍ଷା ହୋଇଥିଲା । ୨୦୨୩ ଅକ୍ଟୋବର ମାସରେ ଜିଲ୍ଲାରେ ୬୮.୩ ମିମି ବର୍ଷା ବଦଳରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇଥିଲା । କିନ୍ତୁ ୨୦୨୪ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଗତବର୍ଷ ଅପେକ୍ଷା ବୃଷ୍ଟିପାତ ବହୁ ମାତ୍ରାରେ କମିଯାଇଛି। ସେପ୍ଟେମ୍ବର ମାସରେ ୨୩୫ ମିମି ବର୍ଷା ବଦଳରେ ୨୦୭.୬୬ ମିମି ବର୍ଷା ହୋଇଥିବା ବେଳେ ଚଳିତ (ଅକ୍ଟୋବର) ମାସରେ ୬୮.୩ ମିମି ବର୍ଷା ବଦଳରେ ବର୍ତ୍ତମାନ ସୁଦ୍ଧା ୧୬.୫୩ ମିମି ବର୍ଷା ରେକର୍ଡ କରାଯାଇଛି ।
ସାରା ବିଶ୍ବରେ ଜଳବାୟୁ ପରିବର୍ତନ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଥିବା ବେଳେ , ଏନେଇ ପରିବେଶବିତ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପରିବେଶ ପ୍ରତି ବର୍ତ୍ତମାନଠାରୁ ଜନସାଧାରଣ ଯତ୍ନବାନ ନହେଲେ ଆଗକୁ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡ଼ିବା ସମ୍ଭାବନା ରହିଛି । ବର୍ତ୍ତମାନଠାରୁ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ପୋଡ଼ି ଓ ଗଛ କଟାକୁ ରୋକିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଲୋକମାନଙ୍କୁ ଅଧିକ ସଚେତନତା କରିବାର ସମୟ ଆସିଛି ବୋଲି ପରିବେଶବିତ୍ତ ମାନେ ମତପ୍ରକାଶ କରିଛନ୍ତି ।
