ଅବପାତ ର ରୂପନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତା କାଲି ୨୩ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ଆସନ୍ତା କାଲି ୨୩ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡିଶା ର ପୁରୀ ଓ ପଶ୍ଚିମବଙ୍ଗ ଉପକୂଳର ସାଗରଦ୍ବୀପ ମଧ୍ୟରେ ଆସନ୍ତା ୨୪ ତାରିଖ ରାତି ରେ ଲ୍ୟାଣ୍ଡଫଲ କରିବାର ପ୍ରାରମ୍ଭିକ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ।
ଏହା ଗଭୀର ଅବପାତ୍ରେ ପରିଣତ ହେବାପରେ ଏହାର ଗତିପଥ ଓ ନିର୍ଦ୍ଧିଷ୍ଟ ଲ୍ୟାଣ୍ଡଫଲ ଜାଗା ସମ୍ପର୍କରେ ସଠିକ ତଥ୍ୟ ହାସଲ କରାଯାଇ ପାରିବ । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ ବେଳେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅବପାତ ଟି ବର୍ତ୍ତମାନ ପାରାଦ୍ୱୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ମୁଖ୍ୟତଃ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା କାଲି ୨୩ ତାରିଖ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ସେପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା ଜଣାଯାଇଛି ।
