Explore

Search
Close this search box.

Search

April 30, 2025 9:26 am

ଧାନ ଗଛରେ ଲାଗିଛି ଚକଡ଼ା ପୋକ , ନଷ୍ଟ ହୋଇଯାଉଛି ଶହଶହ ଏକର ସୁନାର ଫସଲ , ଚିନ୍ତାରେ ଦେବଗଡ଼ ଜିଲ୍ଲାର ଚାଷୀକୁଳ ।

ଧାନ ଗଛରେ ଲାଗିଛି ଚକଡ଼ା ପୋକ । ନଷ୍ଟ ହୋଇଯାଉଛି ଶହଶହ ଏକର ସୁନାର ଫସଲ । ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଦେବଗଡ଼ ଜିଲ୍ଲାରେ ଧାନଚାଷ ପ୍ରଭାବିତ ହୋଇଥିବା ବେଳେ , ଠିକ ଧାନ କେଣ୍ଡା ଧରିବା ସମୟରେ ଧାନଗଛରେ ଚକଡ଼ା ପୋକ ଲାଗିବା ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।                                                                 
କୃଷି ପ୍ରଧାନ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାର ୮୦ ପ୍ରତିଶତ ଜନସାଧାରଣ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି । ଧାନଚାଷ ହିଁ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଧାନଚାଷ ବହୁମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ , ଠିକ ଧାନଗଛ କେଣ୍ଡା ଧରିବା ବେଳକୁ ଧାନଗଛରେ ରୋଗପକ ଆକ୍ରମଣ ଚାଷୀକୁଳଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ରିଆମାଳ , ତିଳେଇବଣି ଓ ବାରକୋଟ ଆଦି ତିନୋଟି ବ୍ଲକର ଅଧିକାଂଶ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ , ମରୁଡି ଦାଉରୁ କୌଣସି ମତ୍ତେ ରକ୍ଷା ପାଇଥିବା ଆଉ କେତେକ ଅଞ୍ଚଳରେ ଏବେ ଚକଡ଼ା ପୋକ ଆକ୍ରମଣ ଜଟିଳ ସମସ୍ୟା ସୃଷ୍ଟି କରିଛି । ମୁଖ୍ୟତଃ ଜିଲ୍ଲାର ରିଆମାଳ ବ୍ଲକର ରିଆମାଳ , ମଲେହିପଡା, ଟିଙ୍କିବିର ଓ ଆଡ଼ସ ଆଦି ପଞ୍ଚାୟତ ର ପ୍ରାୟ ୨୦୦ ଏକର ରୁ ଅଧିକ ଧାନଚାଷରେ ଚକଡ଼ା ପୋକ ଲାଗିଥିବା ବେଳେ , ତିଳେଇବଣି ବ୍ଲକର କଂସର , ଦୁଧିଆନାଳି , ତାଳକୁଣ୍ଡି , ଲଇମୁରା ଓ ଡିମିରିକୁଦା ଆଦି ପଞ୍ଚାୟତର ଅଧିକାଂଶ ଧାନଚାଷରେ ଚକଡ଼ାପୋକ ଲାଗିଥିବା ଜଣାଯାଇଛି । ଧାନଗଛ କେଣ୍ଡା ଧରିବା ସମୟରେ ଧାନକେଣ୍ଡାରେ ଚକଡ଼ା ପୋକ ଲାଗି ଧାନଗଛକୁ ନଷ୍ଟ କରିଦେଉଥିବାରୁ ଶହ ଶହ ଏକର ଏକର ଚାଷଜମିରେ ଧାନଗଛ ଗୁଡିକ ଶୁଖିଯାଇ ମାଟିଉପରେ ଲୋଟିଯାଉଛି । ଚକଡ଼ା ପୋକ ଦାଉରୁ ଧାନଗଛକୁ ରକ୍ଷା କରିବା ପାଇଁ ଚାଷୀକୁଳ ଯେତେ ଔଷଧ ଓ କୀଟନାଶକ ସିଞ୍ଚନ କଲେସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଫଳରେ ନିଜ କଷ୍ଟ ଉପାର୍ଜିତ ଶସ୍ୟକୁ ଅମଳ କରିବାକୁ ଆଶାବାନ୍ଧି ବସିଥିବା ଚାଷୀକୁଳ ଏବେ ହତାଶ ହୋଇ ପଡିଛନ୍ତି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପରିସ୍ଥିତି ର ସାମ୍ନା କରୁଥିବା ଚାଷୀକୁଳଙ୍କ ପାଇଁ ଚକଡ଼ା ପୋକ ସମସ୍ୟା ‘ବୋଝ ଉପରେ ନଳିତା ବିଡା’ ସଦୃଶ ହୋଇଛି ।
ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚକଡ଼ା ପୋକ ଦାଉରୁ ଫସଲକୁ ରକ୍ଷା କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବା ତଥା ଚକଡ଼ା ପୋକ ଜନିତ କ୍ଷୟକ୍ଷତିକୁ ଆକଳନ କରି ଚାଷୀକୁଳଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାପାଇଁ ଚାଷୀକୁଳ ଦାବି କରିଛନ୍ତି ।

 

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer