ସରିଛି ପ୍ରକଳ୍ପ, ହେଲେ ଏବେବି ଅସମାହିତ ହୋଇରହିଛି ବିସ୍ଥାପିତଙ୍କ ସମସ୍ୟା । ବର୍ଷେ ନୁହଁ କି ଦୁଇବର୍ଷ , ଦୀର୍ଘ ୪୦ ବର୍ଷ ହେଲା ସ୍ଥାୟୀ ଜମିପଟ୍ଟା ପାଇବା ପାଇଁ ସଂଗ୍ରାମ କରି ଆସୁଛନ୍ତି ଦେବଗଡ଼ ଜିଲ୍ଲା ଫୁଲପଥରଖୋଳ ଗ୍ରାମର ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ୫୩ ଟି ପରିବାର ।
ରାଜ୍ୟରେ ବିଦ୍ୟୁତ ଉତ୍ପାଦନ, ଜଳସେଚନ ଓ କୃଷିର ଉନ୍ନତି ଆଦି ମହତ ଲକ୍ଷ ନେଇ ସରକାରଙ୍କ ପକ୍ଷରୁ ୧୯୭୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରେଙ୍ଗାଳି ନଦୀବନ୍ଧ ଯୋଜନାର ଶୁଭ ଦେଇଥିଲେ । ପ୍ରାୟତଃ ୧୯୮୦ ମସିହାରୁ ଏହି ପ୍ରକଳ୍ପର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ୧୯୯୧- ୯୨ ମସିହାରେ ଏହା ସରିଥିଲା। ଇତିମଧ୍ୟରେ ଦୀର୍ଘ ୪୦ ବର୍ଷ ବିତିଯାଇଛି , ହେଲେ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି । ବିସ୍ଥାପିତ ପରିବାରଙ୍କୁ ମିଳିନି ପ୍ରାୟୀ ଜମିପଟ୍ଟା । ଜମିପଟ୍ଟା ନମିଳିବା ଦ୍ଵାରା ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବିଶେଷ କରି ଏହି ପ୍ରକଳ୍ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଦେବଗଡ଼ ଜିଲ୍ଲା । ପ୍ରକଳ୍ପ ଦ୍ବାରା ଅନେକ ଗାଁ ଗଣ୍ଡା ଜଳମଗ୍ନ ହୋଇଥିବା ବେଳେ ଲୋକଙ୍କୁ ସରକାର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥଇଥାନ କରାଇଥିଲେ । ସେଥିମଧ୍ୟରୁ ଗୋଟିଏ ହେଲା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ଫୁଲପଥରଖୋଳ ଗାଁ । ଏହି ଗ୍ରାମରେ ୧୯୮୦ ମସିହାରେ ନଈକୂଳ ଗ୍ରାମରୁ ବିସ୍ଥାପିତ ହୋଇଥିବା ୫୩ ଟି ପରିବାରକୁ ଥଇଥାନ କରାଯାଇଥିଲା । ପ୍ରତି ପରିବାରକୁ ସାଢ଼େ ୬ ଏକର ଲେଖାଏଁ ଜମି ଓ ଘରଡିହ ପ୍ରଦାନ କରାଯାଇ ‘କେ ଫର୍ମ’ ପଟ୍ଟା ଦିଆଯାଇଥିଲା । ୧୯୮୦ ମସିହା ଠାରୁ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଦ୍ବାରା ନଈକୂଳ ଗ୍ରାମରୁ ନିଜନିଜ ଭିଟାମାଟି ହରାଇ ଫୁଲପଥରଖୋଳ ଗାଁରେ ବସବାସ କରି ଆସୁଛନ୍ତି ୫୩ ଟି ବିସ୍ଥାପିତ ପରିବାର । ସରକାର ଏହି ବିସ୍ଥାପିତ ପରିବାରଙ୍କୁ ଫୁଲପଥରଖୋଳ ଗ୍ରାମରେ ଥଇଥାନ କରି ସାଢେ ଛଅ ଏକର ଲେଖାଏଁ ଲିଜଜମି ଯୋଗାଇ ‘କେ ଫର୍ମ’ ପଟ୍ଟା ପ୍ରଦାନ କରିଛନ୍ତି ସତ, ହେଲେ କୌଣସି ପରିବାରକୁ ଏଯାଏଁ ମିଳିପାରିନି ସ୍ଥାୟୀ ଜମିପଟ୍ଟା । ଇତିମଧ୍ୟରେ ଦୀର୍ଘ ୪୦ ବର୍ଷରୂ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଏହି ବିସ୍ଥାପିତ ପରିବାରଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବା ଦିଗରେ ସରକାର ଆଦୌ ପଦକ୍ଷେପ ନେଉନାହାନ୍ତି । ଫଳରେ ଏହି ବିସ୍ଥାପିତ ପରିବାର ନିଜନିଜ ଜମିକୁ ସଠିକ ଭାବେ ଚିହ୍ନଟ କରିନପାରି ଚାଷକାର୍ଯ୍ୟ କରିପାରୁନାହାନ୍ତି । ଏପରିକି ଗାଁର ବାସିନ୍ଦା ପ୍ରମାଣପତ୍ର , କୃଷିଋଣ, ମରୁଡ଼ି ସହାୟତା ତଥା ବିଭିନ୍ନ ସରକାରୀ ଯୋଜନାରୁ ଲୋକେ ବଞ୍ଚିତ ହେଉଛନ୍ତି । ଗାଁଟିକୁ ଏଯାଏଁ ରାଜସ୍ୱ ଗ୍ରାମର ମାନ୍ୟତା ବି ମିଳିପାରୁନାହିଁ । ଲୋକେ ନିଜନିଜ ସ୍ଥାୟୀ ଜମିପଟା ନପାଇ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ।
ସ୍ଥାୟୀ ଜମିପଟ୍ଟା ଦେବାପାଇଁ ଏହି ବିସ୍ଥାପିତ ପରିବାର ରାଜ୍ୟସରକାର ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧି ଓ ଜିଲ୍ଲାପ୍ରଶାସନକୁ ବାରମ୍ବାର ଜଣାଇ ଆସୁଛନ୍ତି । ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରିଛନ୍ତି। ତଥାପି ସରକାର ଓ ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଗତମାସରେ ରାଜସ୍ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଅସିଥିଲେ। ଏହି ସମୟରେ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧନ ନେଇ ରେଙ୍ଗାଳି ବନ୍ଧ ସୁରକ୍ଷା ସମିତି ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ତଥ୍ୟ ସଂଗ୍ରହ କରି ଜମି ପଟ୍ଟା ପ୍ରଦାନ ସଂପର୍କରେ ଜିଲ୍ଲାପ୍ରଶାସନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟଯେ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ । ଏପରିସ୍ଥଳେ ନିଜନିଜ ଭାଗ୍ୟକୁ ଆଦରି ଫୁଲପଥରଖୋଳ ଗ୍ରାମରେ ପଡିରହିଛନ୍ତି ୫୩ ଟି ବିସ୍ଥାପିତ ପରିବାର । ସରକାର କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ଓ କେବେ ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ମିଳୁଛି, ତାହା ଦେଖିବାକୁ ବାକିରହିଲା।
