Explore

Search
Close this search box.

Search

April 29, 2025 11:13 pm

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଦେବଗଡ ଜିଲ୍ଲାର ବହୁଚର୍ଚ୍ଚିତ ଗଇଲୋ ଘାଟି । ଘାଟିରାସ୍ତାର ସୁରକ୍ଷା ପ୍ରତି ବିଭାଗୀୟ କତ୍ତୃପକ୍ଷଙ୍କ ନଜର ନାହିଁ ।

ଏବେବି ବିପଦସଙ୍କୁଳ ଅବସ୍ଥାରେ ରାହିଛି ଦେବଗଡ଼ ଜିଳ୍ଲାର ଗଇଲୋ ଘାଟି

ସେଦିନ ଥିଲା ୨୦୧୬ ମସିହା ଏପ୍ରିଲ ୧୭ ତାରିଖ । ଦେବଗଡ ଜିଲ୍ଲା ଗଇଲୋ ଘାଟିରେ ଘଟିଥିଲା ମର୍ମନ୍ତୁଦ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ  ଖସିପଡ଼ିଥିଲା ଯାତ୍ରୀବାହୀ ବସ । ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ୨୭ ଜଣ ଯାତ୍ରା କଳାକାର । ଏହି ଲୋମହର୍ଷକାରୀ ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ।

ଏହି ଘଟଣାକୁ ବିତିଯାଇଛି ଆଠ ବର୍ଷ । ଇତିମଧ୍ୟରେ ଏହି ଘାଟିରେ ଆହୁରି କେତେଯେ ଛୋଟବଡ ଦୁର୍ଘଟଣା ଘଟିଯାଇଛି , ତାହାର ହିସାବ ନାହିଁ । ତଥାପି ନା ଏଥିପ୍ରତି  ଦୃଷ୍ଟି ଅଛି ସ୍ଥାନୀୟ ପ୍ରଶାସନର , ନା ଅଛି ସରକାରଙ୍କର । କେବଳ ଧର୍ମକୁ ଆଖିଥାର ସଦୃଶ ଘାଟିରାସ୍ତାର କିଛି ଅଂଶରେ ପଥର ପାଚେରୀ ଓ ଲୁହାବାଡ ଦେଇ ଦାୟୀତ୍ବ ସାରିଦେଇଛନ୍ତି ସମସ୍ତେ । ଦୀର୍ଘବର୍ଷ ହେଲା ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି ଏହି ଘାଟିରାସ୍ତା ଅବସ୍ଥା ।
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କୈଳାଶ ଗାଁ ନିକଟରେ ରହିଛି ଜିଲ୍ଲାର ସୁଉଚ୍ଚ ଗଇଲୋ ଘାଟି । ଏହି ୩ କିଲୋମିଟର ଘାଟିରାସ୍ତା ଅତିକ୍ରମ କରି ଦେବଗଡ ସଦର ମହକୁମା ଓ ବ୍ଲକ କାର୍ଯ୍ୟାଳୟକୁ ପ୍ରତିଦିନ ଯାତାୟତ କରିଥାନ୍ତି ଝରାଗୋଗୁଆ, ପାରପୋଷି, ଲଇମୁରା, ଡିମିରିକୁଦା, ଝାରମୁଣ୍ଡା ଓ ଗଣ୍ଡମ ଆଦି ୬ଟି ପଞ୍ଚାୟତର ଲୋକେ । ଘାଟି ରାସ୍ତାଟି ସମ୍ପୂର୍ଣ ଅଣଓସାରିଆ ହୋଇଥିବା ବେଳେ ଗୋଟିଏ ପାର୍ଶ୍ୱରେ ରହିଛି ପାହାଡ଼ ଓ ଅନ୍ୟ ପାର୍ଶ୍ୱରେ ରହିଛି ଆଖି ନପାଇବା ଭଳି ଖାଲ । ପୁଣି ରହିଛି ଏକାଧିକ ୟୁଟର୍ଣ୍ଣ । ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ପାହାଡ଼ରୁ ଅତଡା ଖସି ରାସ୍ତାଟି ଅଧିକ ଅଣ ଓସାରିଆ ଓ ବିପଦଶଙ୍କୁଳ ହୋଇପଡିଛି । ଅଣ ଓସାରିଆ ଘାଟି ରାସ୍ତାରେ  ଦୁଇଟି ଯାନ ଏକସଙ୍ଗେ ଯାତାୟତ କରିବା କଷ୍ଟକର ହୋଇପଡୁଛି । ଏଠାରେ ପ୍ରତି ପାଦେପାଦେ ରହିଛି ବିପଦ । ସାମାନ୍ୟ ଅସତର୍କ ହେଲେ ତିନି/ଚାରି ଶହ ଫୁଟ ତଳକୁ ଖସିଯିବାର ଆଶଙ୍କା ରହିଛି । ତଥାପି ଜୀବନକୁ ପାଣି ଛଡାଇ ଏହି ଘାଟିରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ ।  ଅଣଓସାରିଆ ଗଇଲୋ ଘାଟିରାସ୍ତା କୁ ଅଧିକ ପ୍ରଶସ୍ତ ଓ ସୁରକ୍ଷିତ କରିବା ପାଇଁ ଆଯକୁ ଦୀର୍ଘବର୍ଷ ହେଲା ଉପରୋକ୍ତ ଛଅଟି ପଞ୍ଚାୟତ ବାସୀ ବାରମ୍ବାର ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବିକରି ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ ।

ସୂଚନାଯୋଗ୍ୟ ଯେ , କିଛିବର୍ଷ ପୂର୍ବରୁ କୈଳାସ ଏନ ଏଚ ୫୩ ଠାରୁ ଲାଇମୁରା ପର୍ଯ୍ୟନ୍ତ ୩୦ କିଲୋମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗ ଅଧିନକୁ ହସ୍ତାନ୍ତର ହୋଇସାରିଛି । ମାତ୍ର ଏହି ରାସ୍ତାର ପ୍ରଶସ୍ତିକରଣ ଦିଗରେ ସଂପୃକ୍ତ ବିଭାଗ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଓ ସରକାର ବିହିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହି ଘାଟି ରାସ୍ତାରେ ଦୁର୍ଘଟଣା ଜନିତ ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer