ଦେବଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ରାସ୍ତାର ସୁରକ୍ଷା ସହିତ ରାସ୍ତା ଅବରୋଧ, ରାସ୍ତା କଡ ଢ଼ାବା ହୋଟେଲରେ ନିଶାଦ୍ରବ୍ୟ ବିକ୍ରୀ, ଦୃତ ଗାଡିଚାଳନା ଓ ଟ୍ରାଫିକ ନିୟମ ଉଲଙ୍ଘନ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ଦେବଗଡ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି (ସୋମବାର) ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ ଙ୍କ ତତ୍ୱାବଧାନରେ ଜ଼ିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ସଡକ ଦୁର୍ଘଟଣା କିଭଳି ରୋକାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ କରି ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଚେକିଂ କରିବା ସହିତ ଟ୍ରାଫିକ ନିୟମ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରିଆମାଳରୁ ଏନଏଚ ୫୩ ରାସ୍ତାର ସୁରକ୍ଷା ନିମନ୍ତେ ସାଇନେଜ ବୋର୍ଡ, ତିଲେଇବଣି ରୁ ବଂଜାରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ, ସାଧାରଣ ଜନତା ଙ୍କ ଦ୍ୱାରା ପୌରାଞ୍ଚଳରେ ରାସ୍ତା କଡ଼ରେ ଗୃହ ନିର୍ମାଣ ସାମଗ୍ରୀ ତଥା ବାଲି, ମେଟାଲ ଓ ଇଟା ଅବରୋଧ, ବାରକୋଟ ରୁ ରଜାମୁଣ୍ଡା ରାସ୍ତାର ଉନ୍ନତି କରଣ, ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଏନଏଚ ୧୪୩ ରେ ଏଚ ଟି ଲାଇନ କୁ ଏକ ମାସ ମଧ୍ୟରେ ସମାପ୍ତ କରିବା, ବାରକୋଟ ଏନ ଏଚ ୪୯ ରେ ଓଭରବ୍ରିଜ ତଳେ ଅନାଧିକୃତ ଦୋକାନ ଏବଂ ସେଡ଼ ଉଛେଦ, ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଢ଼ାବା ଏବଂ ରାସ୍ତା ର ସୁରକ୍ଷା ଦୃଷ୍ଟିକୋଣରୁ ବେଆଇନ ନିଶା ଦ୍ରବ୍ୟ ବିକ୍ରୟ ଉପରେ କଟକଣା କରାଯିବା ଏବଂ ଦୃତ ଗାଡ଼ିଚାଳନା ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଗେଂଦ୍ରା କୁଜୁର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ପୂର୍ତ୍ତ ବିଭାଗ ଅଭିଷେକ ଓଝା, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଧନଞ୍ଜୟ ମହାନ୍ତ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
