ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଷ୍ଟ୍ କୋଷ୍ଟ୍ ରେଲୱେ, ଭାଇଜାକ୍ କୁ ୬୨ ରନ୍ ରେ ପରାସ୍ତ କରି ୟୁନିଅନ୍ ସ୍ପୋର୍ଟିଂ, କଟକ ବିଜୟୀ ।
ଦେବଗଡ଼ ୨୬/୧୨ – ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ପଞ୍ଚମ ଦିନ ମ୍ୟାଚ୍ ଇଷ୍ଟ୍ କୋଷ୍ଟ୍ ରେଲୱେ ଭାଇଜାକ୍ ବନାମ ୟୁନିଅନ୍ ସ୍ପୋର୍ଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ ଭାଇଜାକ୍ କୁ ୬୨ ରନ୍ ରେ ପରାସ୍ତ କରି କଟକ ବିଜୟୀ ହେଇଛି ।
ଭାଇଜାକ୍ ଦଳ ଟସ୍ ଜିତି କଟକ ଦଳ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା,। କଟକ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା । ଦଳ ପକ୍ଷରୁ ଆତିଫ୍ ଆସଲମ୍ ୫୮, ତାପସ ରାଉତ୍ ୪୩, ରାଜୀବ ଲୋଚନ ସାହୁ ୪୨ ଓ ବିନାୟକ ସାହୁ ୩୮ ରନ କରିଥିବା ବେଳେ ଭାଇଜାକ୍ ଦଳର ବି. ଏନ୍. ରାଜୀବ ଓ ଏମ. ସାଇ ୱାସ୍ବନ୍ତ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବ ରେ ଭାଇଜାକ୍ ଦଳ ବ୍ୟାଟିଂ କରି ୧୭.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୫୨ ରନ କରି ଥିଲେ । ଦଳ ପକ୍ଷରୁ ହ୍ରିତିକ୍ ଭର୍ମା ୪୩ ଓ ଏସ. ଶ୍ରୀ ଭର୍ଦନ ୨୭ ରନ୍ ସଂଗ୍ରହ କରିଥିଲା ବେଳେ କଟକ ଦଳର ଗଣେଶ ତମାର ୫ଟି ଓ ଏମ. ଡ଼ି. ନଦୀମ ଖାନ୍ ୨ ଟି ଉଇକେଟ ନେଇଥିଲେ ।ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଓ ଦିଲୁ ଦସଭାୟା ଧାରାବିବରଣି ପ୍ରଦାନ କରିଥିଲେ ।

ଆଜିର ମ୍ୟାଚରେ କଟକ ଦଳର ଗଣେଶ ତମାର ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ଏହି ଟୁର୍ଣ୍ଣାମେଣ୍ଟ କୁ ପୂର୍ବତନ କ୍ରିକେଟ ଖେଳାଳୀ ତଥା ଓକିଲ ପ୍ରଭାସ ଚନ୍ଦ୍ର ମିଶ୍ର , କାଉନସିଲର ଇତିଶ୍ରୀ ମିଶ୍ର , ଓ ପିଙ୍କି ସାହୁ ଯୋଗ ଦେଇ ଖେଳାଳି ଙ୍କ ସହିତ କରମର୍ଦ୍ଧନ କରିବା ସହ ଉଦଘାଟନ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ମହନ୍ତ ଓ ଜିଲ୍ଲା ଓକିଲ ସଂଘ ସଂପାଦକ ସିଧେଶ୍ୱର ଗୁରୁ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବାମଣ୍ଡା କ୍ରିକେଟ କ୍ଲବର ଉପ ସଭାପତି ଅଶୋକ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ଓ ପ୍ରଜିତ ଭୋଜ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ଖେଳ ଅନୁଷ୍ଠିତ ହୋଇଥିଲା ।



